ଦୁର୍ଘଟଣା ପାଇଁ ଏନ୍‌ଏଚ୍‌ଏଆଇ ଉପରେ ଦୋଷ

ଢେଙ୍କାନାଳ ଅଫିସ, ୨୪ା୧: ୫୫ନଂ. ଜାତୀୟ ରାଜପଥର ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ସଦର ଥାନା ପଞ୍ଚୁପଟି ବ୍ରିଜ୍‌ଠାରେ ସୋମବାର ଭୋର ୪ଟାରେ ଘଟିଥିବା ପିକ୍‌ନିକ୍‌ ବସ୍‌ ଦୁର୍ଘଟଣା ପାଇଁ ଏନ୍‌ଏଚ୍‌ଏଆଇକୁ ଦୋଷ ଦେଇଛନ୍ତି ଜନସାଧାରଣ। ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟରେ ଅହେତୁକ ବିଳମ୍ବ ଏବଂ ପୋଲଗୁଡିକ ନିର୍ମାଣ ନ ହୋଇ ଅଧାପନ୍ତରିଆ ହୋଇ ପଡିଥିବାରୁ ଏଭଳି ଦୁର୍ଘଟଣା ବାରମ୍ବାର ଘଟୁଥିବା ଅଞ୍ଚଳବାସୀ ଅଭିଯୋଗ କରିବା ସହିତ ଏନ୍‌ଏଚ୍‌ଏଆଇ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏପରିକି ଜିଲା ଆଞ୍ଚଳିକ ପରିବହନ ବିଭାଗ ଏ ଦିଗରେ ଧ୍ୟାନ ଦେଉ ନ ଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପଞ୍ଚୁପଟି ଠାରେ ନୂତନ ବ୍ରିଜ ନିର୍ମାଣ ଚାଲୁଥିଲେ ହେଁ ସେଠାରେ ଯାନବାହନ ଗୁଡିକର ବେଗ କମାଇବା ପାଇଁ ଚାଳକଙ୍କୁ ସତର୍କ କରିବା ନିମନ୍ତେ କୌଣସି ପ୍ରକାର ସତର୍କତାମୂଳକ ସାଇନେଜ୍‌ ଜାତୀୟ ରାଜପଥ ପ୍ରାଧିକରଣ କିମ୍ବା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଲଗାଯାଇ ନ ଥିଲା। ଗତ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଅନୁଷ୍ଠିତ ସଚେତନତା ବୈଠକରେ ଏ ସମ୍ପର୍କରେ ଜିଲାପାଳଙ୍କ ଉପସ୍ଥିତିରେ ପ୍ରାଧିକରଣ କର୍ତ୍ତୃପକ୍ଷ ଏବଂ ଆଞ୍ଚଳିକ ପରିବହନ ବିଭାଗ ଅଧିକାରୀଙ୍କୁ ଏଥିପ୍ରତି ଦୃଷ୍ଟି ଦେବାକୁ ବାରମ୍ବାର କୁହାଯାଇଥିଲା। ହେଲେ ବିଭାଗ ପକ୍ଷରୁ ସାଇନେଜ୍‌ ଲଗାଯାଇ ନ ଥିଲା। ଦୁର୍ଘଟଣା ପରେ ତୁରନ୍ତ ଜିଲାପାଳ ପ୍ରାଧିକରଣ ଅଧିକାରୀଙ୍କୁ ଘଟଣାସ୍ଥଳକୁ ଡକାଇ ଏ ସମ୍ପର୍କରେ ପଚାରିଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଜନସାଧାରଣ ପ୍ରାଧିକରଣ ଅଧିକାରୀଙ୍କ ଉପରେ ପ୍ରବଳ ବର୍ଷିଥିଲେ। ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ।