ନନ୍ଦପୁର,୩୧ା୧୦(ତୁଷାର କାନ୍ତ ମହାନ୍ତି):ଆନ୍ଧ୍ରରେ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି କୋରାପୁଟ ଜିଲା ନନ୍ଦପୁର ବ୍ଲକ୍ ଆନ୍ଧ୍ର ସୀମାନ୍ତକୁ ଲାଗି ରହିଥିବା ପଞ୍ଚାୟତଗୁଡ଼ିକରେ ରାଜନୈତିକ ଓ ପ୍ରଶାସନିକ ଉଷ୍ମତା ସେତିକି ଘନାଉଛି। ଶୁକ୍ରବାର ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ ନନ୍ଦପୁର ବ୍ଲକ୍ ଗୋଲୁର ପଞ୍ଚାୟତର ରାଇପାହାଡ ଗ୍ରାମ ପରିଦର୍ଶନକରି ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି। ସେଠାରେ ବ୍ଲକ ପ୍ରଶାସନ ପକ୍ଷରୁ ନିର୍ମାଣ କରାଯାଉଥିବା ଆବାସ ଗୃହ, ଶୌଚାଳୟ, ରାସ୍ତା, ପାନୀୟ ଜଳ ବ୍ୟବସ୍ଥା, ବିଦ୍ୟୁତ୍କରଣ କାର୍ଯ୍ୟ, ପ୍ରଧାନମନ୍ତ୍ରୀ ସଡ଼କ ରାସ୍ତା, ଗାଁ ରାସ୍ତା କାର୍ଯ୍ୟର ସମୀକ୍ଷା କରିଛନ୍ତି। ଗ୍ରାମରେ ଥିବା ୫୦ରୁ ଊର୍ଦ୍ଧ୍ୱ ଭୋଟର ତଥା ଆନ୍ଧ୍ର-ଓଡ଼ିଶା ୨ ରାଜ୍ୟର ଭୋଟରକାର୍ଡଧାରୀଙ୍କୁ ରାଜ୍ୟ ସରକାରଙ୍କ ଯୋଜନା ସମ୍ପର୍କରେ ବୁଝାଇଥିଲେ। ରାଜ୍ୟର ସ୍ବାଭିମାନ ରକ୍ଷାକରି ଆନ୍ଧ୍ର ନିର୍ବାଚନରେ ସାମିଲ ନ ହେବାକୁ କହିଛନ୍ତି। ଗାଁରେ ଥିବା ୧୯ ପରିବାରର ପିଲାମାନେ ଆନ୍ଧ୍ର ସ୍କୁଲରେ ପଢ଼ୁଥିବାରୁ ଭୋଟ ଦେବାକୁ ଆନ୍ଧ୍ର ପ୍ରାର୍ଥୀଙ୍କ ପକ୍ଷରୁ ଏକରକମର ବ୍ଲାକ୍ମେଲ୍ କରାଯାଉଥିବା ଗ୍ରାମବାସୀ କହିଛନ୍ତି।
ଗ୍ରାମକୁ ଓଡ଼ିଶା ବିଦ୍ୟୁତ୍ ଆସିଛି, ଟ୍ରାନ୍ସଫର୍ମର ବସିଛି। ଘରେ ଘରେ ମିଟର ସ୍ଥାପନ କରାଯାଇଛି। କିନ୍ତୁ ପୂର୍ବରୁ ଆନ୍ଧ୍ର ପକ୍ଷରୁ ମାଗଣା କରେଣ୍ଟ ଥିବାରୁ ଓଡ଼ିଶା ଟିପିଏସ୍ଓଡିଏଲ୍ କର୍ତ୍ତୃପକ୍ଷ ବିଦ୍ୟୁତ୍ ସଂଯୋଗ ଦେଇପାରୁନାହିଁ ବୋଲି ଗ୍ରାମବାସୀ ବିଧାୟକଙ୍କୁ କହିଛନ୍ତି। ସେହିଭଳି ଗାଁ ପାଇଁ ନିର୍ମାଣ ହେଉଥିବା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରାସ୍ତାର ମଝିରେ ଏକ ବିଦ୍ୟୁତ୍ ଖୁଣ୍ଟ ଥିବାରୁ ଆର୍ଡି ବିଭାଗ ରାସ୍ତା ନିର୍ମାଣ କାର୍ଯ୍ୟ କରିପାରୁ ନ ଥିବା କହିଛନ୍ତି। ଅକ୍ଟୋବର ୨ରେ ରାଇପାହାଡ଼କୁ ନିଶାମୁକ୍ତ ଗ୍ରାମଭାବେ ଘୋଷଣା କରାଯାଇ ନିଶାମୁକ୍ତ ଗ୍ରାମ ଫଳକ ଲାଗିଛି। କିନ୍ତୁ ଗ୍ରାମବାସୀ ବ୍ୟବହାର କରୁଥିବା ପାହାଡ଼ି ଝରଣାରେ ପାର୍ଶ୍ୱ ଡୁମୁରିଗୁଡ଼ା ଗ୍ରାମର କେତେଜଣ ସେଠାରେ ଦେଶୀମଦ ଭାଟି କରି ରାଇପାହାଡ଼ ଗାଁକୁ ବଦନାମ କରିବାକୁ ଚେଷ୍ଟା କରୁଥିବା ଗ୍ରାମବାସୀ ବିଧାୟକଙ୍କୁ ଅଭିଯୋଗ କରିଥିଲେ। ଜିଲାପାଳ, ଏସ୍ପି, ବିଡିଓ, ତହସିଲଦାର, ଅବକାରୀ, ଟିପିଏସ୍ଓଡିଏଲ୍ ଓ ଆର୍ଡି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ୧୫ ଦିନ ମଧ୍ୟରେ ସମସ୍ୟାର ସମାଧାନ କରିବାକୁ ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତି। ବିଧାୟକଙ୍କ ଗସ୍ତବେଳେ ବ୍ଲକ୍ କଂଗ୍ରେସ ସଭାପତି ମଦନ ହାଡ଼ପୁଟିଆ, ବିଧାୟକ ପ୍ରତିନିଧି କାମେଶ କାମୁଡ଼ି, ବିରଞ୍ଚତ୍ ମାଟାମ ଓ ପାଡୁଆ ଥାନା ଏସ୍ଆଇ ସୁରେନ୍ଦ୍ର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।