କୁଷ୍ଠ ଯନ୍ତ୍ରଣାରେ କଲବଲ କାଳିଆ

ଢେଙ୍କାନାଳ ଅଫିସ, ୩।୭ ଚିକିତ୍ସା ବିଜ୍ଞାନର ଚମତ୍କାରିତା ପରେ କୁଷ୍ଠ ଆଉ ଦୁରାରୋଗ୍ୟ ବ୍ୟାଧି ହୋଇ ରହିନାହିଁ। କୁଷ୍ଠରୋଗୀଙ୍କୁ ସାମାଜିକ ସ୍ରୋତରେ ସାମିଲ କରିବାକୁ ସରକାର ଅଜସ୍ର ଅର୍ଥ ବ୍ୟୟ କରୁଛନ୍ତି। ଆକ୍ରାନ୍ତଙ୍କ ପାଇଁ ପ୍ରତି ସ୍ବାସ୍ଥ୍ୟକେନ୍ଦ୍ରରେ ନିଃଶୁଳ୍ପ ଚିକିତ୍ସା ବ୍ୟବସ୍ଥା କରାଯାଇଛି। ତଥାପି ରୋଗୀ ଘୃଣାର ଶିକାର ହେଉଛନ୍ତି। ବ୍ୟାପକ ସଚେତନତା ସତ୍ତ୍ୱେ ସେମାନଙ୍କ ପ୍ରତି ରହିଥିବା ମାନସିକତା ବଦଳୁନାହିଁ। ସାମାଜିକ ବାସନ୍ଦ, ଦାରିଦ୍ର୍ୟର ତାଡ଼ନାର ଶିକାର ହୋଇ ସେମାନେ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି। ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲା ଗଁଦିଆ ଥାନା ଦେଓଗଁା ପଂଚାୟତ ଅନ୍ତର୍ଗତ ମହୁଲଖୋଳି ଗ୍ରାମରେ। କୁଷ୍ଠ ରୋଗରେ ଆକ୍ରାନ୍ତ କାଳିଆ ବେହେରା ନାମକ ଜଣେ ଦିବ୍ୟାଙ୍ଗ ଯୁବକ ସାମାଜିକ ବାସନ୍ଦର ଶିକାର ହେବା ପରେ ଘଞ୍ଚ ଜଙ୍ଗଲରେ ବୃଦ୍ଧ ବାପାଙ୍କ ସହ ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି। ବାପାଙ୍କୁ ମିଳୁଥିବା ବାର୍ଦ୍ଧକ୍ୟ ଭତ୍ତାରେ ଦୁଇପ୍ରାଣୀ ବଡ଼ କଷ୍ଟରେ ଚଳୁଥିବାବେଳେ ପ୍ରଶାସନ କାନରେ କାଳିଆଙ୍କ ଯନ୍ତ୍ରଣାର ଚିତ୍କାର ବାଜୁ ନ ଥିବା ଅଭିଯୋଗ ହୋଇଛି।
ମହୁଲଖୋଳି ଗ୍ରାମଠାରୁ ୨ କିମି ଦୂର ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଛି ଝାଟିମାଟିର ଏକ କୁଡ଼ିଆ। ସେହି କୁଡ଼ିଆରେ ଜୀବନମରଣ ସହିତ ସଂଘର୍ଷ କରୁଛନ୍ତି କୁଷ୍ଠ ରୋଗରେ ଆକ୍ରାନ୍ତ ୩୬ ବର୍ଷୀୟ କାଳିଆ ଏବଂ ତାଙ୍କ ୬୫ ବର୍ଷୀୟ ବୃଦ୍ଧ ବାପା ହୃଦାନନ୍ଦ। କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ସାହିବାସୀ କାଳିଆଙ୍କ ହାତ ଛାଡ଼ିଦେଲେ। ଅଛୁଅଁା କହି ପାଖ ମାଡ଼ିଲେନି। ଫଳରେ ବୃଦ୍ଧ ବାପାଙ୍କୁ ଧରି ଜଙ୍ଗଲରେ ଏକ କୁଡ଼ିଆ କରି ସେଠାରେ ମୁଣ୍ଡ ଗୁଞ୍ଜିଛନ୍ତି କାଳିଆ। ଉପଯୁକ୍ତ ଚିକିତ୍ସା ଅଭାବ ଏବଂ ସାମାଜିକ ତାଡ଼ନାର ଶିକାର ହେବା ପରେ ଉଭୟଙ୍କ ମାନସିକ ଅବସ୍ଥା ବିଗିଡ଼ିବାରେ ଲାଗିଛି। ଆର୍ଥିକ ଅନଟନ ମଧ୍ୟରେ ଦୁହେଁ ଦିନ କାଟୁଥିବାବେଳେ ଅନ୍ୟର ହାତ ଟେକାକୁ ଚାହିଁ ରହୁଛନ୍ତି। ଅଧିକାଂଶ ଦିନ ଭୋକ ଓପାସରେ କଟୁଛି। ଅନ୍ୟ ଉପାୟ ନ ଥିବାରୁ ବାଧ୍ୟ ହୋଇ ବାପପୁଅ ଖରା, ବର୍ଷା, ଶୀତକାକରରେ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି। କାଳିଆ କୁହନ୍ତି, ତାଙ୍କ ପାଇଁ ସରକାରୀ ଯୋଜନା ସାତ ସପନ। ନା ଅଛି ଆଧାର କାର୍ଡ ନା ମିଳୁଛି ରାଶନ। ରୋଗ ଯନ୍ତ୍ରଣା ଅସହ୍ୟ ହେବାରୁ କିଛିଦିନ ତଳେ ସେ ପହଞ୍ଚତ୍ଥିଲେ ବେଲଟିକିରି ସ୍ବାସ୍ଥ୍ୟକେନ୍ଦ୍ରରେ। ହେଲେ ସେଠାକାର ସ୍ବାସ୍ଥ୍ୟ ଅଧିକାରୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସୁପାରିସ କରିଦେଇ କାମ ସାରିଦେଲେ। ହାତରେ ସମ୍ବଳ ନ ଥିବାରୁ ଚିକିତ୍ସା ହୋଇପାରୁନାହିଁ। ଏଥିପ୍ରତି ବ୍ଲକ ପ୍ରଶାସନ, ଜନପ୍ରତିନିଧି ଦୃଷ୍ଟି ଦେବାକୁ ଦାବି ହେଉଛି।
ଏ ସମ୍ପର୍କରେ ସରପଞ୍ଚ ସାଗରିକା ସାହୁ କୁହନ୍ତି, ପଞ୍ଚାୟତ ପ୍ରଶାସନ କାଳିଆଙ୍କ ପାଖକୁ ଯାଇ ସମସ୍ୟା ବୁଝିବ। ତାଙ୍କୁ ସରକାରୀ ଯୋଜନାରେ ସାମିଲ କରାଯିବା ସହିତ ଚିିକିତ୍ସା ସେବା ଯୋଗାଇ ଦିଆଯିବା ଲାଗି ଆବଶ୍ୟକ ପଦକ୍ଷେପ ନିଆଯିବ।