ଭାଜପା ପାଇଁ ବ୍ଲାକ୍‌ ସଣ୍ଡେ: କରୋନାରେ ଜଣେ ମନ୍ତ୍ରୀଙ୍କ ମୃତ୍ୟୁ, ୫ ଆକ୍ରାନ୍ତ

ନୂଆଦିଲ୍ଲୀ, ୩।୮: ରବିବାର ଭାଜପା ପାଇଁ ବ୍ଲାକ୍‌ ସଣ୍ଡେ ସାବ୍ୟସ୍ତ ହୋଇଛି। ଗୋଟିଏ ଦିନରେ ଦଳର ଜଣେ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ମୃତ୍ୟୁ କରୋନା ସଂକ୍ରମଣ ଯୋଗୁ ଘଟିଥିବାବେଳେ ୫ ଜଣ ରାଜନେତା ଆକ୍ରାନ୍ତ ହୋଇଛନ୍ତି। ରବିବାର ସକାଳେ ଉତ୍ତରପ୍ରଦେଶ କ୍ୟାବିନେଟ୍‌ ମନ୍ତ୍ରୀ କମଳା ରାଣୀ ବରୁଣଙ୍କ ମୃତ୍ୟୁ କରୋନା ଯୋଗୁ ଘଟିଥିଲା। ସେ ଜୁଲାଇ ୧୮ଠାରୁ ଏସ୍‌ଜିପିଜିଆଇରେ ଚିକିତ୍ସିତ ହେଉଥିଲେ। ସନ୍ଧ୍ୟା ୫ଟା ରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଥିଲା। ଏନେଇ ଶାହା ଟୁଇଟ୍‌ କରି ସୂଚନା ଦେଇଥିଲେ। ଏହାର ଏକ ଘଣ୍ଟାପରେ ଉତ୍ତରପ୍ରଦେଶ ଭାଜପା ମୁଖ୍ୟ ସ୍ବତନ୍ତ୍ର ଦେବ ସିଂଙ୍କୁ କରୋନା ସଂକ୍ରମଣ ହୋଇଥିବା ଜଣାପଡ଼ିଥିଲା। ଏହାପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆତିଦ୍ୟନାଥଙ୍କ କ୍ୟାବିନେଟ୍‌ର ଜଳଶକ୍ତି ମନ୍ତ୍ରୀ ମହେନ୍ଦ୍ର ସିଂଙ୍କ ରିପୋର୍ଟ କରୋନା ପଜିଟିଭ୍‌ ଆସିଥିବା ଜଣାପଡ଼ିଥିଲା। ରାତ୍ର ୧୧ଟାରେ କର୍ନାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପାଙ୍କୁ କରୋନା ସଂକ୍ରମଣ ହୋଇଥିବା ନେଇ ସୂଚନା ମିଳିଥିଲା। ତାମିଲନାଡୁ ରାଜ୍ୟପାଳ ବନଓ୍ବାରିଲାଲ୍‌ ପୁରୋହିତଙ୍କ ନମୁନା ପରୀକ୍ଷା ରିପୋର୍ଟ ମଧ୍ୟ କରୋନା ପଜିଟିଭ୍‌ ଆସିଥିଲା।

Share