କଳା ପଲସର୍‌ ଆତଙ୍କ : ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନା ହାର

ରୂପ୍‌ସା,୧୭।୪(ଡି.ଏନ.ଏ.): ବାଲେଶ୍ୱର ଜିଲା ରୂପ୍‌ସା ଥାନା ଅଞ୍ଚଳରେ କଳା ପଲସର୍‌ ଆତଙ୍କ ଦେଖିବାକୁ ମିଳିଛି। ଥାନା ପାଖ ବସ୍‌ଷ୍ଟାଣ୍ଡ ନିକଟରୁ ଜଣେ ମହିଳାଙ୍କ ବେକରୁ ଏକ ସୁନା ହାର ଦୁର୍ବୃତ୍ତମାନେ ଝାମ୍ପି ନେଇଥିବା ଅଭିଯୋଗ ହୋଇଛି। ଲୁଟ୍‌ ହାରର ମୂଲ୍ୟ ପାଖାପାଖି ୧୦ ଲକ୍ଷ ଟଙ୍କା ହେବ ବୋଲି ଅଭିଯୋଗରେ ଦର୍ଶାଯାଇଛି।
ସଦର ଥାନା ଅଧୀନ ଗୋବିନ୍ଦପୁର ଗ୍ରାମର ବିଶ୍ୱନାଥ ନାୟକ ରବିବାର ସନ୍ଧ୍ୟାରେ ରୂପ୍‌ସା ଆଗିରିଆ ଗ୍ରାମର ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରୁ ଫେରୁଥିବା ସମୟରେ ରୂପ୍‌ସା ବସ୍‌ଷ୍ଟାଣ୍ଡ ନିକଟରେ ଏକ କଳା ପଲସର ବାଇକ୍‌ରେ ଦୁଇଜଣ ଯୁବକ ଆସି ତାଙ୍କ ସ୍ତ୍ରୀ ପିନ୍ଧିଥିବା ଏକ ସୁନା ହାର ଝାମ୍ପି ନେଇ ହଳଦୀପଦା ଅଭିମୁଖେ ପଳାଇଥିଲେ। ଖବର ପାଇ ରୂପ୍‌ସା ପୋଲିସ ସେଠାରେ ପହଞ୍ଚତ୍ ଘଟଣାର ତଦନ୍ତ ଜାରି ରଖିଛି। ଏହି ଘଟଣାକୁ କେନ୍ଦ୍ର କରି ସେଠାରେ ଅନେକ ସମୟ ପର୍ଯ୍ୟନ୍ତ ଉତ୍ତେଜନା ଦେଖାଦେଇଥିଲା। ପୋଲିସର ଅପାରଗତାକୁ ନେଇ ଲୋକେ ସେଠାରେ ପାଟିତୁଣ୍ଡ କରିଥିଲେ।