କଳାଧନ: ସୁପ୍ରିମକୋର୍ଟଙ୍କୁ ଦିଆଗଲାଣି ୮ ରିପୋର୍ଟ

କଟକ,୨୯।୧୧ (କାର୍ତ୍ତିକ ସାହୁ): କଟକ ତେଲେଙ୍ଗାବଜାରସ୍ଥିତ ଜଷ୍ଟିସ ଅରିଜିତ ପଶାୟତଙ୍କ ବାସଭବନରେ ସ୍ପେଶାଲ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌ (ଏସ୍‌ଆଇଟି)ର ଦଶମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଜଷ୍ଟିସ ପଶାୟତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କଳାଧନ ରୋକିବା ଦିଗରେ ବିଭିନ୍ନ ତଦନ୍ତକାରୀ ସଂସ୍ଥାର ଉଚ୍ଚପଦସ୍ଥ ଅଧିକାରୀ ଯୋଗଦେଇ ଆଲୋଚନା କରିଥିଲେ। ଅଦ୍ୟାବଧି କଳାଧନ ସମ୍ପର୍କିତ ୮ଟି ରିପୋର୍ଟ ସୁପ୍ରିମକୋର୍ଟଙ୍କୁ ପ୍ରଦାନ କରାଯାଇଥିବାବେଳେ ଆଗାମୀ ୩ ମାସ ମଧ୍ୟରେ ପରବର୍ତ୍ତୀ ରିପୋର୍ଟ ଦିଆଯିବ ବୋଲି ଜଷ୍ଟିସ ପଶାୟତ ସୂଚନା ଦେଇଛନ୍ତି।
ରାଜ୍ୟରେ ଅନେକ ସମୟରେ ସରକାରୀ ଅଧିକାରୀମାନଙ୍କ ପାଖରୁ କଳାଧନ ଜବତ ନେଇ ହେଉଥିବା ମାମଲାଗୁଡ଼ିକରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ବିଭିନ୍ନ ଉପାୟରେ କଳାଧନ ଗଚ୍ଛିତ ହେଉଛି। କେଉଁ ପନ୍ଥା ଆପଣେଇଲେ କଳାଧନ କାରବାର ରୋକିହେବ ସେନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବଂ ଇନ୍‌କମ୍‌ ଟ୍ୟାକ୍ସ ଅଧିକାରୀମାନଙ୍କ ସହ ଆଲୋଚନା ହୋଇଥିଲା। କଳାଧନ କେଉଁଠାରେ ନିବେଶ ହୋଇଛି, ତାହାକୁ କିଭଳି ରୋକା କରାଯାଇପାରିବ ତାହା ଉପରେ ଇଡି ଏବଂ ଆୟକର ବିଭାଗ ନଜର ଦେଉଛି। ଆବଶ୍ୟକ ପଡ଼ିଲେ ମାମଲା ରୁଜୁ କରି ଅଧିକ ତଦନ୍ତ ମଧ୍ୟ କରୁଛି। ଅନେକ ମାମଲା ରୁଜୁ ହେବା ପରେ ସେହି ଅଭିଯୁକ୍ତମାନଙ୍କ ବିରୋଧରେ ଇଡି ଏବଂ ଆୟକର ବିଭାଗ ଅଧିକ ତଥ୍ୟ ହାସଲ କରିପାରୁଛି ବୋଲି ଜଷ୍ଟିସ ପଶାୟତ କହିଛନ୍ତି। ସେହିପରି ନିର୍ବାଚନରେ କଳାଧନ ବ୍ୟବହାର ଉପରେ ଏସ୍‌ଆଇଟି ନଜର ରଖିବ। ବର୍ତ୍ତମାନ ଦେଶରେ ନାର୍କୋଟିକ୍ସ ମାମଲା ଚିନ୍ତାର ବିଷୟ ପାଲଟିଛି। ଆଶାଠାରୁ ଅଧିକ ପରିମାଣର ନାର୍କୋଟିକ୍ସ ଦ୍ରବ୍ୟ ଜବତ ହୋଇଛି। ଓଡ଼ିଶାରେ ଗଞ୍ଜେଇ ଅଧିକ ପରିମାଣର ଜବତ ହେଉଥିବାବେଳେ ବ୍ରାଉନ୍‌ ସୁଗାର ଏବଂ ହେରୋଇନ୍‌ ମଧ୍ୟ ଜବତ ହେଉଛି। ନାର୍କୋଟିକ୍ସ, ରିୟଲ ଇଷ୍ଟେଟ ଓ ସୁନା ବ୍ୟବସାୟ ଆଳରେ ଅଧିକ ମାତ୍ରାରେ କଳାଧନ କାରବାର ହେଉଛି। ଏହି ବୈଠକରେ ରାଜର୍ଷି କୁମାର, ଜ୍ଞାନେଶ୍ୱର ସିଂହ, ସନ୍ଦୀପ କୁମାର, ଡ. ସଚିନ କୁମାର, ସୁବୋଧ କୁମାର, ଅରୁଣ ବୋଥ୍ରା, ଡ. କିଶୋର କୁମାର ପାଣିଗ୍ରାହୀ, ଆଶିଷ ବର୍ମା, ରାହୁଲ ନବୀନ, ରାଜେଶ କେଡିଆଙ୍କ ସମେତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଆୟକର ବିଭାଗ, ଡାଇରେକ୍ଟ ଟ୍ୟାକ୍ସ ବିଭାଗ, ସେଣ୍ଟ୍ରାଲ ଏକ୍ସାଇଜ୍‌ ଓ କଷ୍ଟମ, ନାର୍କୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ, ସିଟି ଜିଏସ୍‌ଟି, କ୍ରାଇମବ୍ରାଞ୍ଚ, ଭିଜିଲାନ୍ସ ଏବଂ ଓଡ଼ିଶା ପୋଲିସର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ସୂଚନାଯୋଗ୍ୟ, ଦେଶରେ ଦ୍ରୁତଗତିରେ କଳାଧନ କାରବାର ବୃଦ୍ଧି ପାଇବାରେ ଲାଗିଛି। ଓଡ଼ିଶାରେ ଅଣାୟତ୍ତ ନିଶା କାରବାର ମଧ୍ୟ କଳାଧନ ବୃଦ୍ଧି ପାଇଁ ଦାୟୀ। କଳାଧନ କାରବାର ବନ୍ଦ କରିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଏସ୍‌ଆଇଟି ଗଠିତ ହୋଇଛି। ପ୍ରତି ୩ ମାସରେ ଏହାର ବୈଠକ ହେବା ସହ ନିୟମିତ ଭାବେ ସୁପ୍ରିମକୋର୍ଟଙ୍କୁ ଏସ୍‌ଆଇଟି ରିପୋର୍ଟ ପ୍ରଦାନ କରୁଛି।