ବ୍ଲାକ୍‌ ଫଙ୍ଗସ୍‌: ହରିଆଣାରେ ୪୦ରୁ ଊର୍ଦ୍ଧ୍ୱ ରୋଗୀ ଚିହ୍ନଟ

ଚଣ୍ଡିଗଡ଼,୧୩।୫: ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ତାଣ୍ଡବ ରଚୁଥିବା ବେଳେ ଏବେ ବ୍ଲାକ୍‌ ଫଙ୍ଗସ୍‌ ସଂକ୍ରମଣ ସମସ୍ତଙ୍କ ନିଦ ହଜାଇ ଦେଇଛି। ଦେଶର ଅନ୍ୟ ରାଜ୍ୟ ଭଳି ହରିଆଣାରେ ମଧ୍ୟ ବ୍ଲାକ୍‌ ଫଙ୍ଗସ୍‌ ସଂକ୍ରମଣ ବ୍ୟାପୁଥିବା ନଜରକୁ ଆସିଛି। ରାଜ୍ୟରେ ଏପର୍ଯ୍ୟନ୍ତ ୪୦ରୁ ଊର୍ଦ୍ଧ୍ୱ ରୋଗୀ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଦିନକୁ ଦିନ ରାଜ୍ୟରେ ବୃଦ୍ଧି ପାଉଥିବା ବ୍ଲାକ୍‌ ଫଙ୍ଗସ୍‌ ରୋଗୀଙ୍କ ସଂଖ୍ୟା ଏବେ ସ୍ବାସ୍ଥ୍ୟ ବିଭାଗ ପାଇଁ ଚିନ୍ତା ବଢ଼ାଇ ଦେଇଛି। କରୋନାରୁ ଠିକ୍‌ ହେବା ପରେ ରାଜ୍ୟରେ ଏବେ ଏଭଳି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଯେଉଁମାନେ ମଧୁମେହ ରୋଗରେ ପୀଡ଼ିତ ସେମାନଙ୍କୁ ଖୁବ୍‌ଶୀଘ୍ର ଏହି ସଂକ୍ରମଣ ବ୍ୟାପୁଥିବା ସୂଚନା ରହିଛି। ଏହି କ୍ରମରେ ପିଜେଆଇ ରୋହତକ ପରେ ଏବେ କର୍ନାଲ ସ୍ଥିତ କଳ୍ପନା ରାଜକୀୟ ମେଡିକାଲ କଲେଜରେ ୨ଜଣ ବ୍ଲାକ୍‌ ଫଙ୍ଗସ୍‌ ରୋଗୀଙ୍କୁ ଭର୍ତ୍ତି କରାଯାଇଛି। ପ୍ରାରମ୍ଭିକ ଲକ୍ଷଣକୁ ଚିହ୍ନଟ କରାଯାଇ ସେଠାରେ ସେମାନଙ୍କର ଚିକିତ୍ସା ଜାରି ରହିଛି ବୋଲି ଉକ୍ତ ହସ୍ପିଟାଲର ଡାକ୍ତର କହିଛନ୍ତି।

Share