କରୋନା ରୋଗୀଙ୍କୁ ବିକଳାଙ୍ଗ କରୁଛି ବ୍ଲାକ୍‌ ଫଙ୍ଗସ୍‌

ନୂଆଦିଲ୍ଲୀ, ୧୦।୫: ଭାରତରେ କରୋନା ମହାମାରୀର ଦ୍ୱିତୀୟ ଲହର ଭୟଙ୍କର ଭାବେ ମାଡ଼ିଚାଲିଛି। ଏଥିରେ ଦୈନିକ ୪ ଲକ୍ଷରୁ ଊର୍ଦ୍ଧ୍ୱ ସଂକ୍ରମିତ ହେଉଥିବାବେଳେ ହଜାର ହଜାର ଲୋକଙ୍କ ଜୀବନ ଯାଉଛି। ଏବେ ଗୁଜରାଟ, ଦିଲ୍ଲୀ, ମହାରାଷ୍ଟ୍ର ଆଦି ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କଠାରେ ମ୍ୟୁକୋରମାଇକୋସିସ୍‌ ବ୍ଲାକ୍‌ ଫଙ୍ଗସ୍‌ ଭଳି ମାରାତ୍ମକ ରୋଗର ଲକ୍ଷଣ ଦେଖାଯାଉଛି। ଦିଲ୍ଲୀ ଓ ଗୁଜରାଟରେ ଦେଖାଦେଇଥିବା ଏହି ରୋଗରେ ଗତ ୧୫ ଦିନ ମଧ୍ୟରେ ୧୪ରୁ ଊର୍ଦ୍ଧ୍ୱ କରୋନା ରୋଗୀ ଦୃଷ୍ଟିଶକ୍ତି ହରାଇଲେଣି। କେବଳ ଦୃଷ୍ଟିଶକ୍ତି ନୁହେଁ ଅନ୍ୟାନ୍ୟ ଅଙ୍ଗକୁ ମଧ୍ୟ ଅଚଳ କରିଦେଉଛି ଏହି ରୋଗ। ଶନିବାର ସକାଳେ ମୁମ୍ବାଇର ଏକ ହସ୍ପିଟାଲରେ ଜଣେ ଯୁବତୀଙ୍କ ଆଖିକୁ ଅସ୍ତ୍ରୋପଚାର କରି ବାହାର କରିଦିଆଯାଇଛି। ସେ ୩ ସପ୍ତାହ ପୂର୍ବରୁ କରୋନାରୁ ଆରୋଗ୍ୟ ହୋଇଥିଲେ। ଡାଇବେଟିସ୍‌ ଆକ୍ରାନ୍ତ ଉକ୍ତ ଯୁବତୀଙ୍କ ଆଖି, ନାକ ଓ ଗଳାରେ ସମସ୍ୟା ଦେଖାଦେଇଥିଲା। ନାକ ଅସ୍ତ୍ରୋପଚାର କରାଯାଇ ଏକ ନଳୀ ଲଗାଯିବା ସହ ଆଖିକୁ ସମ୍ପୂର୍ଣ୍ଣ ବାହାର କରିଦେବାକୁ ପଡ଼ିଛି। କରୋନାରୁ ଆରୋଗ୍ୟ ହେବା ପରେ ଏଭଳି ରୋଗ ରୋଗୀଙ୍କୁ ପଙ୍ଗୁ କରିଦେଉଛି।
ମ୍ୟୁକୋରମାଇସୋସିସ୍‌ ବା ବ୍ଲାକ୍‌ ଫଙ୍ଗସ୍‌ ଅତି ବିରଳ ସଂକ୍ରମଣ। ସାଧାରଣତଃ ମାଟି, ଗଛ, ଖତ, ପଚାଶଢ଼ା ଫଳ ଓ ପନିପରିବାରେ ଦେଖାଯାଉଥିବା ମ୍ୟୁକୋର ମାଉଲ୍ଡ ଶରୀର ମଧ୍ୟରେ ପ୍ରବେଶ କରିବା ପରେ ଏପରି ସଂକ୍ରମଣ ହୋଇଥାଏ। ଏହା ସାଇନସସ୍‌, ମସ୍ତିଷ୍କ ଓ ଫୁସ୍‌ଫୁସ୍‌କୁ ସଂକ୍ରମିତ କରିଥାଏ ଏବଂ ମଧୁମେହ କିମ୍ବା କ୍ୟାନ୍ସର, ଏଚ୍‌ଆଇଭି ରୋଗୀଙ୍କ ପାଇଁ ମାରାତ୍ମକ ହୋଇଥାଏ। କୋଭିଡ୍‌ ଚିକିତ୍ସା ବେଳେ ଗୁରୁତର ରୋଗୀଙ୍କୁ ଦିଆଯାଉଥିବା ଷ୍ଟିରଏଡ୍‌ରୁ ମ୍ୟୁକୋରମାଇକୋସିସ୍‌ ସୃଷ୍ଟି ହେଉଥିବା ଡାକ୍ତରମାନେ ବିଶ୍ୱାସ କରୁଛନ୍ତି। କରୋନା ରୋଗୀଙ୍କ ଫୁସ୍‌ଫୁସ୍‌ ପ୍ରଦାହ ହ୍ରାସ ଲାଗି ଷ୍ଟିରଏଡ୍‌ ଦିଆଯାଇଥାଏ। ଏହା ମଧ୍ୟ ଫୁସ୍‌ଫୁସ୍‌ରେ କରୋନା ଜନିତ କ୍ଷତିକୁ କିଛି ପରିମାଣରେ ଅଟକାଇବାରେ ସହାୟକ ହୋଇଥାଏ। କିନ୍ତୁ ଏହି ଷ୍ଟିରଏଡ୍‌ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କରିବା ସହ ରୋଗୀ ଶରୀରରେ ରକ୍ତ ଶର୍କରା ପରିମାଣ ବଢ଼ାଇ ଦେଇଥାଏ। ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କାରଣରୁ ମ୍ୟୁକୋରମାଇକୋସିସ୍‌ ହେଉଥିବା ବିଶ୍ୱାସ କରାଯାଉଛି।

Share