କରୋନା ମଧ୍ୟରେ ବ୍ଲାକ୍‌ ଫଙ୍ଗସ୍‌ ଆତଙ୍କ: ରାଜସ୍ଥାନରେ ଚିହ୍ନଟ ହେଲେ ୭ଶହରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ଜୟପୁର,୨୦।୫: କରୋନା ସଙ୍କଟ ମଧ୍ୟରେ ବ୍ଲାକ୍‌ ଫଙ୍ଗସ୍‌ ସଂକ୍ରମଣ ଏବେ ଚିନ୍ତା ବଢ଼ାଇଦେଇଛି। ଦେଶର ଅନେକ ରାଜ୍ୟରେ ଏହି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କେବଳ ରାଜସ୍ଥାନରେ ୭୦୦ବ୍ଲାକ୍‌ ଫଙ୍ଗସ୍‌ ରୋଗୀ ଚିହ୍ନଟ ହୋଇଥିବା ବେଳେ ସରକାର ଏବେ ଆକ୍ସନମୁଡରେ ଆସିଯାଇଛନ୍ତି। ବୁଧବାର ରାଜସ୍ଥାନ ସରକାର ବ୍ଲାକ୍‌ ଫଙ୍ଗସ୍‌କୁ ମହାମାରୀ ଘୋଷଣା କରିଥିଲେ। ଏଥିସହ ଅଧିକାରୀଙ୍କୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ପୁରା ରାଜ୍ୟରେ ମୋଟ ୭୦୦ବ୍ଲାକ୍‌ ଫଙ୍ଗସ୍‌ ରୋଗୀ ଚିହ୍ନଟ ହୋଇଥିବା ବେଳେ କେବଳ ଗୋଟିଏ ହସ୍ପିଟାଲରେ ୧୦୦ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। କେବଳ ରାଜସ୍ଥାନରେ ନୁହେଁ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଦିଲ୍ଲୀ ଭଳି ଆଦି ଅନେକ ରାଜ୍ୟରେ ନିୟମିତ ବ୍ୟବଧାନରେ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ ଚିହ୍ନଟ ହେଉଛନ୍ତି। ଅନ୍ୟପଟେ ମହାରାଷ୍ଟ୍ରରେ ବି ଏହାକୁ ନେଇ ହାହାକାର ଦେଖାଦେଇଛି। ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ପ୍ରାୟ ୨ହଜାରରୁ ଊର୍ଦ୍ଧ୍ୱ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ ଚିହ୍ନଟ ହୋଇଥିବା ବେଳେ ଏଥିଯୋଗୁ ୯୦ଜଣଙ୍କ ମୃତ୍ୟୁ ଘଟିଛି। ତେବେ ଦିଲ୍ଲୀ କଥା କହିବାକୁ ଗଲେ ଗୁରୁବାର ସର ଗଙ୍ଗାରାମ ହସ୍ପିଟାଲରୁ ୪୦ରୁ ଊର୍ଦ୍ଧ୍ୱ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ ଚିହ୍ନଟ ହୋଇଥିବା ବେଳେ ମ୍ୟାକ୍ସ ହସ୍ପିଟାଲରୁ ୨୫, ଏମ୍ସରୁ ୨୦ ଓ ମୁଲଚନ୍ଦ ହସ୍ପିଟାଲରୁ ଜଣେ ଲେଖାଏ ରୋଗୀ ଚିହ୍ନଟ ହୋଇଛନ୍ତି।

Share