୧୦ରାଜ୍ୟରେ ବ୍ଲାକ୍‌ ଫଙ୍ଗସ୍‌ ଆତଙ୍କ

ନୂଆଦିଲ୍ଲୀ,୧୪।୫: ଦେଶରେ କରୋନା ସଂକ୍ରମଣ ବଢ଼ିଚାଲିଥିବାବେଳେ ଏବେ ବିଭିନ୍ନ ରାଜ୍ୟରେ ବିରଳ ମ୍ୟୁକୋରମାଇକୋସିସ୍‌ ବା ବ୍ଲାକ୍‌ ଫଙ୍ଗସ୍‌ ସଂକ୍ରମଣ ଚିନ୍ତା ବଢ଼ାଇ ଦେଇଛି। ଏହି ଫଙ୍ଗସ୍‌ ଆଖି, ସାଇନସସ୍‌, ମସ୍ତିଷ୍କ, ଫୁସ୍‌ଫୁସ୍‌କୁ ସଂକ୍ରମଣ କରି ନଷ୍ଟ କରିଦେବା ସହ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି। ଫଳରେ ଏଭଳି ରୋଗୀଙ୍କ ଚିକିତ୍ସା ପାଇଁ ଆଇସିୟ ଆବଶ୍ୟକ ପଡ଼ୁଛି। କରୋନା ରୋଗୀଙ୍କଠାରେ ପୂର୍ବରୁ ଯଦି କୌଣସି ଗୁରୁତର ରୋଗ ରହିଥାଏ ତେବେ ସେମାନଙ୍କ ମଧ୍ୟରେ ବ୍ଲାକ୍‌ ଫଙ୍ଗସ୍‌ ହେବାର ଆଶଙ୍କା ଅଧିକ ରହିଛି। ବିଶେଷତଃ ମଧୁମେହ ରୋଗୀଙ୍କଠାରେ ଏହାର ଲକ୍ଷଣ ଅଧିକ ରହିଥିବା ଦେଖିବାକୁ ମିଳିଛି। ଏହି ବ୍ଲାକ୍‌ ଫଙ୍ଗସ୍‌ ଏବେ ଦେଶର ୧୦ଟି ରାଜ୍ୟରେ ବ୍ୟାପିସାରିଛି। ଯଥାକ୍ରମେ ଗୁଜୁରାଟ ସମେତ ମହାରାଷ୍ଟ୍ର, ଦିଲ୍ଲୀ, ମଧ୍ୟପ୍ରଦେଶ ରାଜସ୍ଥାନ, କର୍ନାଟକ, ତେଲେଙ୍ଗାନା, ଉତ୍ତରପ୍ରଦେଶ, ବିହାର ଓ ହରିଆଣାରେ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ ଚିହ୍ନଟ ହୋଇସାରିଛନ୍ତି। ଗୁଜୁରାଟରେ ୧୦୦ରୁ ଉର୍ଦ୍ଧ୍ୱ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ ଚିହ୍ନଟ ହୋଇଛନ୍ତି। ସ୍ଥିତି ଏଭଳି ହୋଇଛି ଯେ, ରାଜ୍ୟସରକାର ଉକ୍ତ ରୋଗୀଙ୍କ ପାଇଁ ହସ୍ପିଟାଲରେ ଅଲଗା ଓ୍ବାର୍ଡ ତିଆରି କରିଛନ୍ତି। କୁହାଯାୁଛି ଏହି ରୋଗୀଙ୍କ ମଧ୍ୟରେ ଅନେକ ନିଜର ଦୃଷ୍ଟିଶକ୍ତି ମଧ୍ୟ ହରାଇଛନ୍ତି। ସେହିପରି ମହାରାଷ୍ଟ୍ରରେ ବ୍ଲାକ୍‌ ଫଙ୍ଗସ୍‌ ଦ୍ରୁତ ଗତିରେ ବ୍ୟାପୁଥିବା ବେଳେ ଏପର୍ଯ୍ୟନ୍ତ ରାଜ୍ୟରେ ୨ହଜାରରୁ ଉର୍ଦ୍ଧ୍ୱ ରୋଗୀ ଚିହ୍ନଟ ହୋଇସାରିଛନ୍ତି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ସୂଚନା ଦେଇଛନ୍ତି। ଅନ୍ୟପଟେ ରାଜସ୍ଥାନରେ ୧୪, ତେଲେଙ୍ଗାନାରେ ୬୦, କର୍ନାଟକରେ ୩୮ ମାମଲା ସାମ୍ନାକୁ ଆସିଥିବା ବେଳେ ମଧ୍ୟପ୍ରଦେଶରେ ୫୦ରୁ ଊର୍ଦ୍ଧ୍ୱ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଏହି ରୋଗରେ ୨ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

Share