ଭଞ୍ଜନଗର,୪।୫(ବାବୁଲା ପ୍ରଧାନ): ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ନିର୍ବାଚନ ଫଳାଫଳ ପ୍ରାୟ ଆସିଯାଇଛି। ଏଥିରେ ପ୍ରଥମଥର ପାଇଁ ଭାଜପା ପଶ୍ଚିମବଙ୍ଗରେ କ୍ଷମତା ଦଖଲ କରିବାକୁ ଯାଉଛି। ସଂଖ୍ୟା ଗରିଷ୍ଠତାଠାରୁ ବହୁ ଆଗରେ ଭାଜପା ବର୍ତ୍ତମାନ ଅଛି। ଆସାମ ଓ ପୁଡୁଚେରୀରେ ମଧ୍ୟ ଭାଜପା ସରକାର ଗଢ଼ିବାକୁ ଯାଉଛି। ଏହି ଖୁସିରେ ଗଞ୍ଜାମ ଜିଲା ଭଞ୍ଜନଗର ନିର୍ବାଚନମଣ୍ଡଳୀ ଭାଜପା ପକ୍ଷରୁ ସୋମବାର ଥାନା ଛକରେ ବିଜୟ ଉତ୍ସବ ପାଳନ କରାଯାଇଥିଲା। ଏହି ସମୟରେ ସେଠାରେ ଜୟ ଶ୍ରୀରାମ ନାରା ଓ ବାଣରେ ସମ୍ପୃକ୍ତ ଅଞ୍ଚଳ ପ୍ରକମ୍ପିତ ହୋଇପଡ଼ିଥିଲା। ଏଥିସହ ଭାଜପା ନେତା ଓ କର୍ମୀ ପରସ୍ପରକୁ ମିଠା ଖୁଆଇ ବିଜୟ ଉତ୍ସବ ପାଳିଥିଲେ। ଏହି ସମୟରେ ଭାଜପା ନେତା ବିଷ୍ଠୁ ପ୍ରସାଦ ପ୍ରଧାନ, ଏମପି ପ୍ରତିନିଧି ସନ୍ତୋଷ ତିଆଡି, ଲକ୍ଷ୍ମୀ ପଣ୍ଡା, ସମୀର ନାୟକ, ସୁବାଷ ବରାଡ, ବୁବୁନି ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।