ଆଜିଠୁ ଭାଜପାର ୫ ଦିନିଆ ପଦଯାତ୍ରା

ଭୁବନେଶ୍ୱର,୨୦ା୧୨(ବ୍ୟୁରୋ): ଚଳିତ ମାସ ୫ ତାରିଖରୁ ‘ପରୀ’କୁ ନ୍ୟାୟ ପାଇଁ ନୟାଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭାଜପା ଗଣଧାରଣା କରୁଛି। ୧୪୭ ନିର୍ବାଚନମଣ୍ଡଳୀରେ ଦଳ ପକ୍ଷରୁ ପଦଯାତ୍ରା କରାଯାଉଛି। ପରୀ ସମେତ ରାଜ୍ୟରେ ନିଖୋଜ ୫ ହଜାରରୁ ଊର୍ଦ୍ଧ୍ୱ ଶିଶୁଙ୍କୁ ନ୍ୟାୟ ପାଇଁ ରବିବାର ୫ ଦିନିଆ ‘ପରୀକୁ ନ୍ୟାୟ ପାଇଁ ପଦଯାତ୍ରା’ ଆରମ୍ଭ ହେବ। ସକାଳ ୯ଟାରେ ଭୁବନେଶ୍ୱରରୁ ଏକ ପଦଯାତ୍ରା ପରୀ ଗାଁ ନୟାଗଡ଼ ଜିଲା ଯଦୁପୁର ଅଭିମୁଖେ ଯାତ୍ରା କରିବ। ଏହି ପଦଯାତ୍ରା ଲିଙ୍ଗରାଜ ମନ୍ଦିରରୁ ଆରମ୍ଭ ହୋଇ ଆଗାମୀ ୫ ଦିନରେ ୯୮କି.ମି. ଯାତ୍ରା କରି ଯଦୁପୁରରେ ପହଞ୍ଚିବ ବୋଲି ରାଜ୍ୟ ମୁଖପାତ୍ର ଯତୀନ ମହାନ୍ତି ଜଣାଇଛନ୍ତି।

ଶନିବାର ରାଜ୍ୟ କାଯର୍‌ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି ଯେ, ଏହି ପଦଯାତ୍ରା ଦିନକୁ ପାଖାପାଖି ୨୦କି.ମି. ହେବ ଏବଂ ଏଥିରେ ଭାଜପାର ସମସ୍ତ ଶୀର୍ଷ ନେତୃତ୍ୱ ବିଭିନ୍ନ ପର୍ଯ୍ୟାୟରେ ଭାଗ ନେବେ। ପ୍ରଥମଦିନ ଏହି ପଦଯାତ୍ରା ଲିଙ୍ଗରାଜ ମନ୍ଦିରଠାରୁ ଆରମ୍ଭ ହୋଇ ଯାଆଁଳା ପର୍ଯ୍ୟନ୍ତ ଯିବ। ସେହିପରି ଦ୍ୱିତୀୟ ଦିନରେ ଯାଆଁଳାରୁ ସାରୁଅ, ତୃତୀୟ ଦିନରେ ସାରୁଅରୁ ବୋଲଗଡ, ଚତୁର୍ଥ ଦିନରେ ବୋଲଗଡରୁ ଇଟାମାଟି ଏବଂ ଶେଷ ଦିନରେ ଇଟାମାଟିରୁ ପରୀର ଗାଁ ଯଦୁପୁରଠାରେ ପହଞ୍ଚିବ। ଏହି ଯାତ୍ରାରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ତଥା ଜାତୀୟସ୍ତରୀୟ ନେତୃବୃନ୍ଦ ଭାଗ ନେବେ। ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ରବିବାର ଆରମ୍ଭ ହେବାକୁ ଥିବା ଏହି ପଦଯାତ୍ରାରେ ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା ଭନିତା ଶ୍ରୀନିବାସନ ସାମିଲ ହେବେ। ରାଜ୍ୟ ନେତୃତ୍ୱ ଏବଂ ରାଷ୍ଟ୍ର ନେତୃତ୍ୱ ପର୍ଯ୍ୟାୟକ୍ରମେ ଏହି ପଦଯାତ୍ରାରେ ଭାଗନେବେ ବୋଲି ସେ ସୂଚନା ଦେଇଛନ୍ତି।