ଭାଜପାର ଜିଲା ପରିଷଦ ପ୍ରାର୍ଥୀ ନିଖୋଜ

କାଲିମେଳା,୨୫।୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା କାଲିମେଳା ବ୍ଲକ୍‌ ଅଞ୍ଚଳରୁ ଜିଲା ପରିଷଦ ଜୋନ-୨ର ଭାଜପା ପ୍ରାର୍ଥୀ ନିଖୋଜ ହୋଇଯାଇଥିବା ଜଣାପଡିଛି। ଏହି ଘଟଣା ଏବେ ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।

ରବିବାର ପର୍ଯ୍ୟନ୍ତ ସବୁ ଠିକ୍‌ ଥିବା ବେଳେ ସୋମବାର ସକାଳୁ ଜିଲା ପରିଷଦ ଜୋନ ୨ ଭାଜପା ପ୍ରାର୍ଥୀ କାଲିମେଳା ପଞ୍ଚାୟତ ତୁମ୍ବାଗୁଡା ଗ୍ରାମର ରୀନା କବାସି ନିଖୋଜ ହୋଇଯାଇଥିବା ଜଣାପଡିଛି l ରୀନାଙ୍କ ନିଖୋଜ ସମ୍ପର୍କରେ ଜାଣିବା ପରେ ଭାଜପା କର୍ମକର୍ତ୍ତାମାନେ ତାଙ୍କୁ ଅନେକ ସ୍ଥାନରେ ଖୋଜାଖୋଜି କରି ପାଇନାହାନ୍ତି। ରୀନାଙ୍କ ପରିବାର ଲୋକ ମଧ୍ୟ ଘରେ ନ ଥିବା ଦେଖିବାକୁ ମିଳିଛି l ମଙ୍ଗଳବାର ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାର ଶେଷ ଦିନ ଥିବା ବେଳେ ରୀନା ମାଲକାନଗିରି ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ନିଜ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିପାରନ୍ତି ବୋଲି ଆଲୋଚନା ହେଉଛି। ସୂଚନାଯୋଗ୍ୟ, ଜୋନ-୨ରେ ବିଜେଡି ମମତା ପଡିଆମିଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ କେଶୀ ମାଡକାମିଙ୍କୁ ପ୍ରାର୍ଥୀ କରିଛି।