Categories: ଜାତୀୟ

ବିଦେଶରେ ଏଭଳି କେଉଁ ସଂସ୍ଥା ଅଛି, ଯେଉଁଠାରୁ ରାହୁଲଙ୍କୁ ନିମନ୍ତ୍ରଣ ମିଳୁଛି: ଭାଜପା

ନୂଆଦିଲ୍ଲୀ,୨।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗତ ତିନି ଦିନ ଧରି ଆମେରିକା ଗସ୍ତରେ ଅଛନ୍ତି। ଏଠାରୁ ସେ ଲଗାତାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଆକ୍ରମଣ କରୁଛନ୍ତି। ଶୁକ୍ରବାର ଭାଜପା ମୁଖପାତ୍ର ସୁଦର୍ଶନ ତ୍ରିବେଦୀ ଏକ ଖବରଦାତା ସମ୍ମିଳନୀ କରି ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି। ଭାରତକୁ ବିଦେଶରେ ଅପମାନିତ କରାଯାଇଥିବା ଅଭିଯୋଗ କରି ସୁଦର୍ଶନ ତ୍ରିବେଦୀ କହିଛନ୍ତି ଯେ ରାହୁଲ ଗାନ୍ଧୀ ଆମେରିକା ଗସ୍ତରେ ଅଛନ୍ତି ଏବଂ ସେଠାରେ ପୁଣି ଥରେ ନିଜର ଘୃଣା ପ୍ରଦର୍ଶନ କରିଛନ୍ତି। ବିଦେଶରେ ଏଭଳି କେଉଁ ଅନୁଷ୍ଠାନ ଅଛି, ଯାହା ରାହୁଲ ଗାନ୍ଧୀଙ୍କୁ ନିମନ୍ତ୍ରଣ କରୁଛି ବୋଲି ସୁଦର୍ଶନ ତ୍ରିବେଦୀ ପ୍ରଶ୍ନ କରିଛନ୍ତି।

ଅନ୍ୟପକ୍ଷରେ ମୁସଲିମ ଲିଗ ସମ୍ପର୍କରେ ରାହୁଲ ଗାନ୍ଧୀଙ୍କ ବିବୃତ୍ତିରେ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ କହିଛନ୍ତି, ମୁସଲିମ ଲିଗକୁ ଧର୍ମନିରପେକ୍ଷ କହିବା ଅଧିକ ବିପଜ୍ଜନକ। ରାହୁଲ ଗାନ୍ଧୀ ଏହା କହି ବିଭାଜନର ମଞ୍ଜି ବୁଣୁଛନ୍ତି।

ଆମେରିକା ଗସ୍ତର ତୃତୀୟ ଦିନରେ ଓ୍ବାଶିଂଟନ ଡିସିର ନ୍ୟାଶନାଲ ପ୍ରେସ କ୍ଲବ୍‌ରେ ରାହୁଲ କେନ୍ଦ୍ର ବିରୋଧରେ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ଭାରତରେ ଅନୁଷ୍ଠାନ ଏବଂ ଗଣମାଧ୍ୟମକୁ ସରକାର ନିଜ ଅକ୍ତିଆରରେ ରଖିଛନ୍ତି। ରାହୁଲ ଗାନ୍ଧୀ ଏହା ମଧ୍ୟ କହିଛନ୍ତି , ମାନହାନି ମାମଲାରେ ତାଙ୍କୁ ପ୍ରଥମ ଦଣ୍ଡ ଦିଆଯାଇଛି।

Share