ନୂଆଦିଲ୍ଲୀ, ୨୧।୧୦: ଦଶହରା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ବିରୋଧରେ କାମ କରୁଥିବା ତିନୋଟି ଶକ୍ତିର କଥା କହିବା ପରେ ଏବେ ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି ଭାଜପା ମୁଖପାତ୍ର ସମ୍ବିତ ପାତ୍ର । ଭୁବନେଶ୍ୱରରେ ଖବରଦାତା ସମ୍ମିଳନୀରେ ସେ ପ୍ରଶ୍ନ କରିଛନ୍ତି, “ଭାରତର ଶତ୍ରୁ କିଏ?”
ସମ୍ବିତ ପାତ୍ର ଅଭିଯୋଗ କରିଛନ୍ତି ଯେ, କିଛି ଲୋକ ବିଦେଶକୁ ଯାଇ ବିଦେଶୀ ଶକ୍ତିଙ୍କଠାରୁ ଭାରତରେ କ୍ଷମତା ପରିବର୍ତ୍ତନ, ହିଂସା ଓ ଅଶାନ୍ତି ସୃଷ୍ଟି କରିବାର ଉପାୟ ଶିଖି ଆସୁଛନ୍ତି । ଏପରିକି ବାଂଲାଦେଶକୁ ଉଦାହରଣ ଦେଇ ଭାରତରେ କ୍ଷମତା ପରିବର୍ତ୍ତନର କଥା କହୁଥିବା ଲୋକଙ୍କୁ ସେ ଭାରତର ଶତ୍ରୁ ବୋଲି ଅଭିହିତ କରିଛନ୍ତି। ସେ କହିଛନ୍ତି, ବାଂଲାଦେଶର ଲୋକେ ଧାର୍ମିକ ଉଗ୍ରବାଦ ବିରୋଧରେ କିପରି ଲଢ଼ିବାକୁ ହୁଏ, ତାହା ଦେଖାଇଛନ୍ତି ବୋଲି କିଛି ଲୋକ ଦାବି କରୁଛନ୍ତି । ଭାରତରେ ଧାର୍ମିକ ଉଗ୍ରବାଦ ବିରୋଧରେ ଲଢ଼ିବା ପାଇଁ କ୍ଷମତା ପରିବର୍ତ୍ତନ ଆବଶ୍ୟକ ବୋଲି କହୁଥିବା ବ୍ୟକ୍ତିଙ୍କୁ ସେ ସମାଲୋଚନା କରିଛନ୍ତି ।
ସେ ଆହୁରି କହିଛନ୍ତି ଯେ, ଦଶହରାରେ ପ୍ରତୀକାତ୍ମକ ଭାବେ ତିନୋଟି ପୁତ୍ତଳିକା ଦହନ କରାଯାଇଥିଲା। ଦେଶର ଶତ୍ରୁ ବୋଲି ସେ ଯେଉଁମାନଙ୍କୁ ଅଭିହିତ କରୁଛନ୍ତି, ସେମାନଙ୍କ ବିରୋଧରେ ଗଣତାନ୍ତ୍ରିକ ଉପାୟରେ ଲଢ଼ାଯିବ । ଭୋଟ୍ ଓ ଜନସଚେତନତା ମାଧ୍ୟମରେ ଜନତାଙ୍କ ସମ୍ମୁଖରେ ସତ୍ୟ ରଖାଯିବ ବୋଲି ସେ କହିଛନ୍ତି।
ପ୍ରେସ୍ କନଫରେନ୍ସରେ ସମ୍ବିତ ପାତ୍ର ବିବାଦୀୟ ଧାର୍ମିକ ବକ୍ତା ଜାକିର ନାଏକଙ୍କ ଉଦାହରଣ ଦେଇଥିଲେ । ଜାକିର ନାଏକଙ୍କୁ ସେ ଆତଙ୍କବାଦୀ ବୋଲି କହିବା ସହ ସୋନିଆ ଗାନ୍ଧୀଙ୍କ ରାଜୀବ ଗାନ୍ଧୀ ଫାଉଣ୍ଡେସନ୍ ପାଇଁ ତାଙ୍କଠାରୁ ଟଙ୍କା ନିଆଯାଇଥିବା ଅଭିଯୋଗ କରିଥିଲେ। ଜାକିର ନାଏକ ବର୍ତ୍ତମାନ ମାଲେସିଆର କୁଆଲାଲମ୍ପୁରରେ ଅଛନ୍ତି । ଏକ ଷ୍ଟିଙ୍ଗ୍ ଅପରେସନ୍ରେ ସେ ଭାରତ ଫେରିବାକୁ ଭୟ କରୁଥିବା ଏବଂ କ୍ଷମତା ପରିବର୍ତ୍ତନ ହେଲେ ଫେରିବେ ବୋଲି କହିଥିବା ନେଇ ସମ୍ବିତ ପାତ୍ର ଦାବି କରିଛନ୍ତି।
କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରି ସମ୍ବିତ ପାତ୍ର କହିଛନ୍ତି ଯେ, କିଛି ଲୋକ ଚାହୁଁଛନ୍ତି ରାହୁଲ ଗାନ୍ଧୀ ବିନା ନିର୍ବାଚନରେ ହିଁ ରାଜନୈତିକ ଭାବେ ଆଗକୁ ଆସନ୍ତୁ। ଏହାକୁ ନେଇ ସେ ଉପଗ୍ରହ ଉତ୍କ୍ଷେପଣର ଉଦାହରଣ ଦେଇ କଟାକ୍ଷ କରିଥିଲେ। ତାଙ୍କ କହିବା ଅନୁସାରେ, ଉପଗ୍ରହ ଉତ୍କ୍ଷେପଣ ପାଇଁ ମଧ୍ୟ ଇନ୍ଧନ ଆବଶ୍ୟକ; ସେହିପରି ରାଜନୀତିରେ ଆଗକୁ ବଢ଼ିବା ପାଇଁ ମଧ୍ୟ ଆଧାର ଦରକାର। ରାହୁଲ ଗାନ୍ଧୀଙ୍କ ପାଖରେ ଆଉ ଇନ୍ଧନ ନାହିଁ ବୋଲି ସେ ବ୍ୟଙ୍ଗ କରିଥିଲେ।