Categories: ଜାତୀୟ

ପଶ୍ଚିମବଙ୍ଗ ବିଭାଜନ ନେଇ ଭାଜପାରେ ଫାଟ…

କୋଲକାତା, ୨୩।୮: ପଶ୍ଚିମବଙ୍ଗ ବିଭାଜନ ନେଇ ରାଜ୍ୟ ଭାଜପାରେ ଫାଟ ସୃଷ୍ଟି ହୋଇଛି। ରାଜ୍ୟ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ଉତ୍ତର ପଶ୍ଚିମବଙ୍ଗକୁ ଅଲଗା ରାଜ୍ୟର ମାନ୍ୟତା ଦେବା ପାଇଁ ମୌଖିକ ଭାବେ କେନ୍ଦ୍ରୀୟ ମନ୍ତ୍ରୀ ଜନ୍ ବାର୍ଲାଙ୍କ ଦାବିକୁ ସମର୍ଥନ କରିବା ପରେ ପରେ ଏଭଳି ସ୍ଥିତି ଦେଖାଦେଇଛି। ଗୋଟିଏ ଗୋଷ୍ଠୀ ପ୍ରସ୍ତାବ ସପକ୍ଷରେ ଥିବାବେଳେ ଅନ୍ୟ ଗୋଷ୍ଠୀ ଏହାର ବିରୋଧ କରୁଛନ୍ତି। ଲକେଟ ଚାଟାର୍ଜୀ, ରାହୁଲ ସିହ୍ନା ପ୍ରମୁଖ ଭାଜପାର ବରିଷ୍ଠ ନେତା ଉତ୍ତର-ଦକ୍ଷିଣ ବିଭାଜନକୁ ବିରୋଧ କରିଛନ୍ତି। ରାଜ୍ୟର ଭାଜପା ନେତୃତ୍ୱ କହିଛନ୍ତି ଯେ, ପଶ୍ଚିବଙ୍ଗର ସଂସ୍କୃତି ଦେଶର ଅନ୍ୟ ଅଞ୍ଚଳ ଅପେକ୍ଷା ଭିନ୍ନ। ଏଠାରେ ଆମେ ଉତ୍ତର-ଦକ୍ଷିଣ ଅବା ପୂର୍ବ -ପଶ୍ଚିମ ଭେଦଭାବ ବିନା ସଦ୍‌ଭାବରେ ବାସ କରୁଛୁ। ଅପରପକ୍ଷରେ ରାହୁଲ ସିହ୍ନା କାହାର ନାମ ନେଇ କହିଛନ୍ତିି ଯେ, ରାଜ୍ୟକୁ ବିଭାଜନ କରିବାକୁ ଯୋଜନା କରୁଥିବା ଲୋକେ ରବୀନ୍ଦ୍ର ନାଥ ଟାଗୋରଙ୍କର ଅପମାନ କରୁଛନ୍ତି। ୧୯୦୫ ଅକ୍ଟୋବରରେ ରାଜ୍ୟକୁ ଏକଜୁଟ କରିବା ଲାଗି ରବୀନ୍ଦ୍ର ନାଥ ପଶ୍ଚିମବଙ୍ଗରେ ରକ୍ଷାବନ୍ଧନ ଅଭିଯାନ ଆରମ୍ଭ କରିଥିଲେ ବୋଲି ସେ କହିଛନ୍ତି। ଅପରପକ୍ଷରେ ଶାସକ ତୃଣମୂଳ କଂଗ୍ରେସ ପକ୍ଷରୁ ରାଜ୍ୟ ସଭା ମୁଖ୍ୟ ସଚେତକ ସୁଖେନ୍ଦୁ ଶେଖର କହିଛନ୍ତି ଯେ, ବିଧାନସଭା ନିର୍ବାଚନରେ ରାଜ୍ୟରେ ପରାଜୟ ପରେ ଭାଜପା ଜାଣିଶୁଣି ଏଭଳି ବିଭାଜନ ଷଡ଼ଯନ୍ତ୍ର କରୁଛି। ଏହାକୁ କେବେ ମଧ୍ୟ ସହ୍ୟ କରାଯିବ ନାହିଁ।

Share