ନୂଆଦିଲ୍ଲୀ,୨୪।୯: ଆସାମ, ତାମିଲନାଡୁ, ପୁଡୁଚେରୀ, କେରଳ ଏବଂ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭାଜପାର ଖର୍ଚ୍ଚ ରିପୋର୍ଟରୁ ଜଣାପଡ଼ିଛି ଯେ, ଦଳର କେନ୍ଦ୍ରୀୟ କାର୍ଯ୍ୟାଳୟ ଏହି ୫ଟି ରାଜ୍ୟରେ ମୋଟ ୫୨୯.୩୮ କୋଟି ଟଙ୍କା ଖର୍ଚ୍ଚ କରିଛି। ଏଥିରୁ କେବଳ ପଶ୍ଚିମବଙ୍ଗରେ ୨୮୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ନିର୍ବାଚନ ସମୟରେ ୧,୪୯୪ କୋଟି ଟଙ୍କା ପାଇବା ପରେ, ନିର୍ବାଚନ ପ୍ରକ୍ରିୟା ଶେଷ ହେବା ବେଳକୁ ଦଳର ବ୍ୟାଙ୍କ ବାଲାନ୍ସ ଏବଂ ହାତରେ ଥିବା ନଗଦ ମିଶାଇ ମୋଟ ୭,୬୮୯.୦୬ କୋଟି ଟଙ୍କା ରହିଥିଲା।
ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରାଯାଇଥିବା ଦଳର ଖର୍ଚ୍ଚ ରିପୋର୍ଟ ଅନୁଯାୟୀ, ମେ’ରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନର ଶେଷ ପର୍ଯ୍ୟାୟରେ ଭାଜପା ୫୨୯ କୋଟି ଟଙ୍କା ଖର୍ଚ୍ଚ କରିଥିଲା। ଏଥିରୁ ଅଧାରୁ ଅଧିକ ଟଙ୍କା କେବଳ ପଶ୍ଚିମବଙ୍ଗରେ ଖର୍ଚ୍ଚ ହୋଇଛି। ଦଳ ସାଧାରଣ ନିର୍ବାଚନ ପ୍ରଚାର ପାଇଁ ୨୧୭.୧୬ କୋଟି ଟଙ୍କା ଏବଂ ପ୍ରାର୍ଥୀମାନଙ୍କ ପାଇଁ ୬୯.୮୩ କୋଟି ଟଙ୍କା ଖର୍ଚ୍ଚ କରିଛି। ଏଥିରେ ପ୍ରାର୍ଥୀମାନଙ୍କୁ ଦିଆଯାଇଥିବା ୫୮.୮୦ କୋଟି ଟଙ୍କା ମଧ୍ୟ ସାମିଲ ରହିଛି।
ରିପୋର୍ଟ ଅନୁଯାୟୀ, ଭାଜପା ଆସାମରେ ୯୬.୨୬ କୋଟି ଟଙ୍କା, କେରଳରେ ୮୨.୬୭ କୋଟି ଟଙ୍କା, ତାମିଲନାଡୁରେ ୫୧.୫୬ କୋଟି ଟଙ୍କା ଏବଂ ପୁଡୁଚେରୀରେ ୧୧.୮୯ କୋଟି ଟଙ୍କା ଖର୍ଚ୍ଚ କରିଛି।
ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀଙ୍କ ଖର୍ଚ୍ଚ ପାଇଁ ଏକ ସୀମା ରହିଥାଏ, କିନ୍ତୁ ନିର୍ବାଚନ ଲଢ଼ିବା ସମୟରେ ରାଜନୈତିକ ଦଳଗୁଡ଼ିକ କେତେ ଟଙ୍କା ଖର୍ଚ୍ଚ କରିପାରିବେ, ସେନେଇ କୌଣସି ନିର୍ଦ୍ଦିଷ୍ଟ ସୀମା ନାହିଁ। ପ୍ରତ୍ୟେକ ନିର୍ବାଚନ ପରେ ଦଳଗୁଡ଼ିକୁ ନିଜର ନିର୍ବାଚନୀ ଖର୍ଚ୍ଚର ସମ୍ପୂର୍ଣ୍ଣ ବିବରଣୀ ଦେବାକୁ ପଡ଼େ। ଏଥିରେ ଯାତ୍ରା, ରାଲି, ବିଜ୍ଞାପନ ଏବଂ ପ୍ରଚାର ସାମଗ୍ରୀ ପାଇଁ ହୋଇଥିବା ଖର୍ଚ୍ଚ ମଧ୍ୟ ସାମିଲ ଥାଏ।