ଗୁଆହାଟୀ,୪ା୫:ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଆସାମର ୧୨୬ ଆସନ ବିଶିଷ୍ଟ ବିଧାନସଭାରେ ଭାଜପା ନେତୃତ୍ୱରେ ଏନ୍ଡିଏ କ୍ରମାଗତ ତୃତୀୟ ଥର ପାଇଁ ବିଜୟୀ ହୋଇ ହ୍ୟାଟ୍ରିକ୍ କରିବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ନେତୃତ୍ୱରେ ଭାଜପା ଶତାଧିକ ଆସନରେ ଜିତି ପୁନର୍ବାର ସରକାର ଗଢ଼ିବାକୁ ଯାଉଛି। ତେବେ ୧୦ ବର୍ଷ ପରେ ପୁଣିଥରେ କ୍ଷମତାକୁ ଫେରିବା ଲାଗି ଆଶା ରଖିଥିବା କଂଗ୍ରେସ ପରାଜୟର ସମ୍ମୁଖୀନ ହୋଇଛି। ଏପରିକି ଦଳର ବରିଷ୍ଠ ନେତା ଗୌରବ ଗୋଗୋଇ ମଧ୍ୟ ନିର୍ବାଚନ ହାରିଯାଇଛନ୍ତି। ନିର୍ବାଚନରେ ଭାଜପା ବିଜୟୀ ହେବ ବୋଲି ପ୍ରାୟ ସବୁ ଏକ୍ଜିଟ୍ ପୋଲ୍ ପୂର୍ବାନୁମାନ କରିଥିଲେ।
ସୋମବାର ସନ୍ଧ୍ୟା ସୁଦ୍ଧା ଏନ୍ଡିଏ ୩୭ ଆସନରେ ବିଜୟୀ ହୋଇଥିବାବେଳେ ୬୫ ଆସନରେ ଆଗରେ ରହିଛି। ଭାଜପା ୩୦ ଆସନରେ ବିଜୟୀ ହେବା ସହ ଅନ୍ୟ ୫୨ ଆସନରେ ଆଗରେ ରହିଛି। ଏହାର ସହଯୋଗୀ ଦଳ ବୋଡୋଲ୍ୟାଣ୍ଡ ପିପୁଲ୍ସ ଫ୍ରଣ୍ଟ ୫ ଆସନ ଜିତିବା ସହ ଅନ୍ୟ ୫ଟିରେ ଆଗରେ ରହିଛି। ଆସୋମ ଗଣ ପରିଷଦ ୨ ଆସନ ଜିତିଥିବାବେଳେ ଅନ୍ୟ ୮ଟିରେ ଆଗରେ ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ବିରୋଧୀ ଦଳ କଂଗ୍ରେସ ମାତ୍ର ଗୋଟିଏ ଆସନ ଜିତିଥିବାବେଳେ ୧୮ଟି ଆସନରେ ଆଗରେ ରହିଛି। ମୁଖ୍ୟମନ୍ତ୍ରୀ ହିମନ୍ତ ଜାଲୁକବାରି ଆସନରେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ୮୦ ହଜାରରୁ ଊର୍ଦ୍ଧ୍ୱ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ତାଙ୍କ କ୍ୟାବିନେଟ୍ର ପିଜୁଶ ହଜାରିକା, ରାନୋଜ ପେଗୁ, ଅଜନ୍ତା ନିଓଗ ଏବଂ ଅତୁଲ ବୋରା ପ୍ରମୁଖ ବିଜୟୀ ହୋଇଛନ୍ତି। ହଜାରିକା ଜଗିରୋଡ୍ ଆସନରେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ବବୁଲ୍ ଦାସଙ୍କୁ ୯୩,୫୮୪ ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି। ହଜାରିକା ଉକ୍ତ ଆସନରୁ କ୍ରମାଗତ ୩ ଥର ଜିତିବା ସହ ଚତୁର୍ଥ ଥର ପାଇଁ ବିଧାୟକ ହୋଇଛନ୍ତି।