ନୂଆଦିଲ୍ଲୀ,୮ା୮: ଶିରୋମଣି ଅକାଳୀ ଦଳ (ଏସ୍ଏଡି) ମୁଖ୍ୟ ସୁଖବୀର ସିଂ ବାଦଲ ଶୁକ୍ରବାର ପାର୍ଲାମେଣ୍ଟ ପରିସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିବାରୁ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ଏବଂ ଏସ୍ଏଡି ମଧ୍ୟରେ ମେଣ୍ଟ ହେବା ନେଇ ଚର୍ଚ୍ଚା ଜୋର୍ ଧରିଛି। ଆସନ୍ତା ବର୍ଷ ପଞ୍ଜାବ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ପୁଣିଥରେ ୨ ଦଳ ଏକାଠି ହେବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଏକଦା ପଞ୍ଜାବ ରାଜନୀତିରେ ଭାଜପା-ଏସ୍ଏଡି ମେଣ୍ଟର ଦବଦବା ରହିଥିତ୍ଲା। ତେବେ ଗତ କିଛିବର୍ଷ ହେଲା ସେମାନେ ପରସ୍ପରଠାରୁ ଦୂରେଇ ରହିବା ଫଳରେ ସେମାନଙ୍କର ପାରମ୍ପରିକ ଭୋଟ ବ୍ୟାଙ୍କ କମିଯାଉଥିବା ଦେଖାଯାଇଛି ଏବଂ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଆମ୍ ଆଦ୍ମୀ ପାର୍ଟି ରାଜ୍ୟର ମୁଖ୍ୟ ରାଜନୈତକ ଦଳ ଭାବେ ଉଭା ହୋଇଛି।