Categories: ଜାତୀୟ

ଘୃଣା ପ୍ରସାର କରୁଛନ୍ତି ଭାଜପା-ଆର୍‌ଏସ୍‌ଏସ୍‌: ରାହୁଲ

ନୂଆଦିଲ୍ଲୀ,୨୪।୧୦ : ଏକତା ଓ ଭ୍ରାତୃଭାବ ବଢ଼ାଇବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଭାରତ ଯୋଡ଼ୋ ଯାତ୍ରା ରବିବାର ସକାଳେ ହାଇଦ୍ରାବାଦରେ ପ୍ରବେଶ କରିଛି। ଭାଜପା ଏବଂ ଆର୍‌ଏସ୍‌ଏସ୍‌ ଦେଶରେ ଘୃଣାର ପ୍ରସାର କରୁଥିବା ଏହି ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି। ଏଥିସହିତ ସେ ଏକ ଜନସମାବେଶରେ ଦରଦାମ୍‌ ବୃଦ୍ଧି ଓ ବେରୋଜଗାରୀ ପ୍ରସଙ୍ଗ ଉଠାଇଥିଲେ।

ଭାରତ ଯୋଡ଼ୋ ଯାତ୍ରା ଭାଜପା-ଆର୍‌ଏସ୍‌ଏସ୍‌ ନୀତି, ଘୃଣା ଓ ହିଂସା ବିରୋଧୀ ବୋଲି ରାହୁଲ କହିଛନ୍ତି। ଭାଜପା ସରକାରରେ ଦୁଇଟି ଭାରତ ସୃଷ୍ଟି ହୋଇଛି। ଗୋଟିଏ ମୁଷ୍ଟିମେୟ ଧନୀଙ୍କର ହୋଇଥିବାବେଳେ ଅନ୍ୟଟି କୋଟି କୋଟି ଯୁବ, କୃଷକ, ଶ୍ରମିକ ଓ କ୍ଷୁଦ୍ର ବ୍ୟବସାୟୀଙ୍କର। ଆମେ ଦୁଇଟି ନୁହେଁ, ଗୋଟିଏ ଭାରତ ଚାହୁଁ, ଯେଉଁଠି ସମସ୍ତଙ୍କୁ ନ୍ୟାୟ, ନିଯୁକ୍ତି ମିଳିବ ଏବଂ ଦେଶରେ ଭ୍ରାତୃଭାବ ରହିବ ବୋଲି କଂଗ୍ରେସ ନେତା କହିଥିଲେ। ତେଲଙ୍ଗାନା-କର୍ନାଟକ ସୀମାରେ ରାହୁଲଙ୍କୁ ତେଲଙ୍ଗାନା କଂଗ୍ରେସ ନେତାମାନେ ସ୍ବାଗତ କରିଥିଲେ। କଂଗ୍ରେସ ଲୋକ ସଭା ସଦସ୍ୟ ତଥା ତେଲଙ୍ଗାନା ପାଇଁ ଦଳୀୟ ପ୍ରଭାରୀ ଥିବା ମନିକମ୍‌ ଟାଗୋର, ରାଜ୍ୟ କଂଗ୍ରେସ ସଭାପତି ଏ. ରେଭନ୍ଥ ରେଡ୍ଡୀ ପ୍ରମୁଖ ପଦଯାତ୍ରାରେ ସାମିଲ ହୋଇଥିଲେ।

 

ଯାତ୍ରାରେ ସାମିଲ ହେବେ ପାଓ୍ବାର

ବାରାବତି,୨୩।୧୦: ସମାଜରେ ଏକତା ଆଣିବା ଉଦ୍ଦେଶ୍ୟରେ କଂଗ୍ରେସ ଦଳ ଚଳାଇଥିବା ଭାରତ ଯୋଡ଼ୋ ଯାତ୍ରା ମହାରାଷ୍ଟ୍ରରେ ପ୍ରବେଶ କଲେ ଏନ୍‌ସିପି ଅଧ୍ୟକ୍ଷ ଶରଦ ପାଓ୍ବାର ଏଥିରେ ସାମିଲ ହେବେ ବୋଲି ରବିବାର କହିଛନ୍ତି। ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ ସଭାପତି ଅଶୋକ ଚଭନ ଏବଂ ବାଲାସାହେବ ଥୋରାଟ ତାଙ୍କୁ ଭେଟି ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହେବା ଲାଗି ଆମନ୍ତ୍ରଣ କରିଥିଲେ। ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା ଏହି ପଦଯାତ୍ରା ନଭେମ୍ବର ୭ରେ ମହାରାଷ୍ଟ୍ରରେ ପ୍ରବେଶ କରିବ। ସେପ୍ଟେମ୍ବର ୭ରେ ତାମିଲନାଡୁର କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ୧୫୦ ଦିନରେ ୩,୫୭୦ କିଲୋମିଟର ଅତିକ୍ରମ କରି ଜମ୍ମୁ-କଶ୍ମୀରରେ ଶେଷ ହେବ। ବର୍ତ୍ତମାନ ସୁଦ୍ଧା ଏହା ତାମିଲନାଡୁ, କେରଳ, କର୍ନାଟକ ଏବଂ ଆନ୍ଧ୍ରପ୍ରଦେଶ ଅତିକ୍ରମ କଲାଣି।

Share