Categories: ଜାତୀୟ

ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଲେ ନଡ୍ଡା

ଶିମ୍‌ଲା,୧୦।୪:ହିମାଚଳ ପ୍ରଦେଶରେ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀ ପରିବର୍ତ୍ତନ ନେଇ ହେଉଥିବା ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପଡିଛି। ରବିବାର ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାଜପା ଜାତୀୟ ସଭାପତି ଜେପି ନଡ୍ଡା କହିଛନ୍ତି, ଆସନ୍ତା ବିଧାନସଭା ନିର୍ବାଚନ ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁରଙ୍କ ନେତୃତ୍ୱରେ ଅନୁଷ୍ଠିତ ହେବ। ଏପରିକି ରାଜ୍ୟ କ୍ୟାବିନେଟରେ ପରିବର୍ତ୍ତନ ହେବ ନାହିଁ। ଶିମଲା ମ୍ୟୁନିସିପାଲିଟି କର୍ପୋରେସନ ଏବଂ ବିଧାନସଭା ପାଇଁ ପ୍ରସ୍ତୁତି ସମ୍ପର୍କରେ ଜେପି ନଡା ମଧ୍ୟ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବେ।
ଶିମଲାର ପିଟରହୋଫରେ ରବିବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ନଡ୍ଡା କହିଛନ୍ତି, ସରକାର ଏବଂ ସଂଗଠନ ମଧ୍ୟରେ ସମନ୍ବୟ ଏଠାରେ ଭଲ। ମହାସମ୍ପର୍କ ଅଭିଯାନ ଏପ୍ରିଲ ୩୦ ପର୍ଯ୍ୟନ୍ତ ଚାଲିବ। ସରକାରୀ ଯୋଜନାଗୁଡିକ ଲୋକଙ୍କ ନିକଟରେ ପହଞ୍ଚୁଛି କି ନାହିଁ ତାହା ଜାଣିବାକୁ ଚେଷ୍ଟା କରାଯିବ।
ସୂଚନାଯୋଗ୍ୟ,ଚଳିତ ବର୍ଷ ଡିସେମ୍ବରରେ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଠାରେ ୬୮ଟି ବିଧାନସଭା ଆସନ ଅଛି। ତେବେ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀକୁ ନେଇ ଚର୍ଚ୍ଚା ଜୋର ଧରିଛି।

Share