ଭାଜପା ରାଜ୍ୟ ସଭା ଏମପିଙ୍କ ପରଲୋକ, ହୃଦଘାତରେ ଚାଲିଗଲା ଜୀବନ

ମୁମ୍ବାଇ,୨୨।୧୧: ଭାଜପାର ରାଜ୍ୟ ସଭା ସାଂସଦ ରାମରାଓ ସଖାରାମ ୱାଡକୁଟେଙ୍କ ପରଲୋକ ହୋଇଛି । ୭୨ ବର୍ଷ ବୟସରେ ଦିଲ୍ଲୀସ୍ଥିତ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ହୃଦ୍‌ଘାତ ଯୋଗୁଁ ଶନିବାର ରାତି ପ୍ରାୟ ୧୧ଟା ୪୫ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ପରିବାର ସୂତ୍ରରୁ ଜଣାପଡ଼ିଛି । ତାଙ୍କ ମୃତ୍ୟୁ ଖବର ପ୍ରକାଶ ପାଇବା ପରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି।

ଚଳିତ ବର୍ଷ ଏପ୍ରିଲ୍‌ରେ ରାମରାଓ ୱାଡକୁଟେ ରାଜ୍ୟ ସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ନଭେମ୍ବର ୨୦ ତାରିଖରେ କାଶ ଜନିତ ସମସ୍ୟା ଯୋଗୁଁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଶନିବାର ସନ୍ଧ୍ୟା ପ୍ରାୟ ୬ଟାରେ ତାଙ୍କୁ ହୃଦ୍‌ଘାତ ହୋଇଥିଲା। ଡାକ୍ତରଙ୍କ ଚିକିତ୍ସା ସତ୍ତ୍ୱେ ତାଙ୍କ ଜୀବନ ରକ୍ଷା କରାଯାଇପାରି ନଥିଲା।ମହାରାଷ୍ଟ୍ରର ମରାଠୱାଡ଼ା ଅଞ୍ଚଳର ପରଭଣୀ ଜିଲାର ବାସିନ୍ଦା ଥିଲେ ୱାଡକୁଟେ । ସେ ପ୍ରଥମେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ସହ ଜଡ଼ିତ ଥିଲେ । ୨୦୧୪ ଜୁନ୍‌ରୁ ୨୦୧୯ ଅକ୍ଟୋବର ପର୍ଯ୍ୟନ୍ତ ସେ ମହାରାଷ୍ଟ୍ର ବିଧାନ ପରିଷଦର ସଦସ୍ୟ ଥିଲେ। ୨୦୧୯ ଅକ୍ଟୋବରରେ ଏନ୍‌ସିପି ଛାଡ଼ି ଭାଜପାରେ ଯୋଗ ଦେଇଥିଲେ। ୨୦୨୧ରେ ତାଙ୍କୁ ହିଙ୍ଗୋଲି ଜଲା ଭାଜପା ସଭାପତି ଦାୟିତ୍ୱ ମିଳିଥିଲା। ଏହା ସହ ହିଙ୍ଗୋଲି ଲୋକସଭା କ୍ଷେତ୍ରରେ ଦଳର ନିର୍ବାଚନ ପ୍ରମୁଖ ଓ ପ୍ରଭାରୀ ଭାବେ ମଧ୍ୟ ସେ କାର୍ଯ୍ୟ କରିଥିଲେ।

ଧନଗର ସମ୍ପ୍ରଦାୟର ଜଣେ ପ୍ରମୁଖ ନେତା ଭାବେ ତାଙ୍କର ପରିଚୟ ଥିଲା। ସେ ମହାରାଷ୍ଟ୍ର ମେଣ୍ଢା ଓ ଛେଳି ବିକାଶ ନିଗମର ଅଧ୍ୟକ୍ଷ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ । ସମାଜର ତଳସ୍ତରର ଲୋକଙ୍କ ପାଇଁ ତାଙ୍କ କାର୍ଯ୍ୟକୁ ମହାରାଷ୍ଟ୍ରର ନେତାମାନେ ସ୍ମରଣ କରିଛନ୍ତି।ରାମରାଓ ୱାଡକୁଟେଙ୍କ ଦେହାନ୍ତରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ତାଙ୍କୁ ଜଣେ ସରଳ ଓ ସମର୍ପିତ ରାଜନୈତିକ ବ୍ୟକ୍ତିତ୍ୱ ବୋଲି କହିବା ସହ ତାଙ୍କ ମୃତ୍ୟୁ ସମାଜ ଓ ରାଜନୀତି ପାଇଁ ବଡ଼ କ୍ଷତି ବୋଲି ଉଲ୍ଲେଖ କରିଛନ୍ତି।

 

Dharitri – Odisha’s No.1 Odia Daily

Share