ଉଚ୍ଚସ୍ତରୀୟ ତଦନ୍ତ ଦାବିରେ ଭାଜପାର ବିକ୍ଷୋଭ

କଟକ ଅଫିସ,୧୫।୧: ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁଙ୍କ ରହସ୍ୟଜନକ ମୃତ୍ୟୁର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି ଭାଜପା। କଟକ ନଗର ଭାଜପା ସଭାପତି ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ବାରବାଟୀ ଷ୍ଟାଡିୟମସ୍ଥିତ ଓସିଏ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ମଧ୍ୟାହ୍ନ ୧୨ଟାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଓଡ଼ିଶାରେ ବାରମ୍ବାର ମହିଳାମାନଙ୍କ ଉପରେ ଅତ୍ୟାଚାର ହେଉଛି। ବିଭିନ୍ନ ସ୍ଥାନରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ଉପସ୍ଥିତ ଭାଜପା ନେତାମାନେ ଉଦ୍‌ବେଗ ପ୍ରକାଶ କରିଥିଲେ। ଓଡ଼ିଶା ପୋଲିସର ତଦନ୍ତ ଉପରେ ଭରସା ନ ରାଜଶ୍ରୀଙ୍କ ମୃତ୍ୟୁ ଘଟଣାର ତଦନ୍ତ ସିବିଆଇ କରିବା ପାଇଁ ଦାବି କରାଯାଇଥିଲା। ସମ୍ପୂର୍ଣ୍ଣ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରା ନ ଗଲେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବୁ ବୋଲି ନେତୃବୃନ୍ଦମାନେ କହିଥିଲେ। ରଶ୍ମିରେଖା ଦାସ, ମହମ୍ମଦ ସବୀର, ପ୍ରବୀଣା ମହାପାତ୍ର, ସବ୍ୟସାଚୀ ମହାପାତ୍ର, ବିବେକାନନ୍ଦ ନାଏକ, ଦୀପ୍ତି ପଣ୍ଡା, ରଞ୍ଜନ ବେହେରା, କଳ୍ପନା ପଟ୍ଟନାୟକ, ନମିତା ମିଶ୍ର, ରତନ ମହାନ୍ତିଙ୍କ ସମେତ ବହୁ କର୍ମୀ ବିକ୍ଷୋଭରେ ସାମିଲ ହୋଇଥିଲେ।