ଶିବସେନା ପାଇଁ ଚୁଡ଼ି ପଠାଇବ ଭାଜପା

ଶିମଲା,୧୦ ।୯: ବଲିଉଡ୍ ନାୟିକା କଙ୍ଗନା ରାନାୱତ ଓ ଶିବସେନା ମଧ୍ୟରେ ବିବାଦ ବେଳକୁ ବେଳ ବଢିବାରେ ଲାଗିଛି । ମୁମ୍ବାଇରେ ଥିବା କଙ୍ଗନାଙ୍କ କାର୍ଯ୍ୟାଳୟକୁ ବୁଧବାର ଭାଙ୍ଗିବା ଘଟଣା ଏବେ ରାଜନୈତିକ ମୋଡ ନେଲାଣି ଗୁରୁବାର ଏହାକୁ ନେଇ ଶିମଲାରେ ଭାରତୀୟ ଜନତା ପାର୍ଟି(ଭାଜପା) ପକ୍ଷରୁ ବିରୋଧ କରାଯିବା ସହ ଭାଜପା କର୍ମୀ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଏମାନେ କଂଗ୍ରେସ ପ୍ରଦେଶ କାର୍ଯ୍ୟାଳୟ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରିବା ସହ କଂଗ୍ରେସ ଏହି ଘଟଣାରେ କାହିଁକି ଚୁପ୍ ବୋଲି ପ୍ରଶ୍ନ ମଧ୍ୟ କରିଛନ୍ତି । ବିରୋଧ ପ୍ରଦର୍ଶନ କରୁଥିବା ଭାଜପା ମହିଳା କର୍ମୀଙ୍କ ହାତରେ ଚୁଡ଼ି ଥିବା ଦେଖାଯାଇଥିଲା । ଏମାନେ ଏହି ଚୁଡିକୁ କ୍ୟୁରିୟର ଯୋଗେ ମହାରାଷ୍ଟ୍ରର ଶିବସେନା ସରକାରଙ୍କ ନିକଟକୁ ପଠାଇବେ ବୋଲି କହିଛନ୍ତି । ଏମାନେ କହିଛନ୍ତି ବଲିଉଡ୍ ନାୟିକା କଙ୍ଗନାଙ୍କ ପ୍ରତି ଶିବସେନା ସରକାର ଯେଉଁ ବ୍ୟବହାର ପ୍ରଦର୍ଶନ କରିଛି ତାହା ଆଦୌ ଠିକ୍ ନୁହେଁ । ଯଦି କଙ୍ଗନାଙ୍କ ପ୍ରତି ଏଭଳି ବ୍ୟବହାର କରାଯାଉଛି ଓ ମୁମ୍ବାଇରେ ତାଙ୍କ କାର୍ଯ୍ୟାଳୟକୁ ଭାଙ୍ଗି ଦିଆଯାଉଛି ତେବେ ଶିମଲାରେ ଥିବା ପ୍ରିୟଙ୍କା ଗାନ୍ଧୀଙ୍କ ଘରକୁ ବି ଭାଙ୍ଗି ଦିଆଯାଉ ବୋଲି ଏମାନେ ଯୁକ୍ତି କରିଛନ୍ତି । କଙ୍ଗନା ଶିମଲାର ଝିଅ ତେଣୁ କଂଗ୍ରେସ ଏହି ମାମଲାରେ ଚୁପ୍ ଥିବାରୁ ରାହୁଲ ଗାନ୍ଧୀଙ୍କ ନିକଟକୁ ମଧ୍ୟ ଚୁଡି ପଠାଇବା କଥା କହିଛନ୍ତି ଭାଜପା ମହିଳା କର୍ମୀ ।

Share