Categories: ଜାତୀୟ

‘କେଜ୍‌ରିଓ୍ବାଲଙ୍କୁ ହତ୍ୟା ଲାଗି ଷଡ଼ଯନ୍ତ୍ର କରୁଛି ଭାଜପା’

ନୂଆଦିଲ୍ଲୀ,୨୬।୧୧(ପି.ଟି.): ଗୁଜରାଟ ବିଧାନସଭା ଏବଂ ଦିଲ୍ଲୀ ମହାନଗର ନିଗମ (ଏମ୍‌ସିଡି) ନିର୍ବାଚନରେ ପରାଜୟ ଭୟରେ ଭାଜପା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ହତ୍ୟା କରିବା ଲାଗି ଷଡ଼ଯନ୍ତ୍ର ଚଳାଇଥିବା ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଗୁରୁବାର ଅଭିଯୋଗ କରିଥିଲେ। ଏନେଇ ନିର୍ବାଚନ କମିଶନଙ୍କ ପାଖରେ ଅଭିଯୋଗ ଦାଏର କରାଯିବ ବୋଲି ଶୁକ୍ରବାର ସେ କହିବା ସହ ଏହାର ତଦନ୍ତ ଦାବି କରିଛନ୍ତି। କେଜ୍‌ରିଓ୍ବାଲଙ୍କ ବିରୋଧରେ ଭାଜପା ନେତା ମନୋଜ ତିଓ୍ବାରୀ ଯେଉଁଭଳି ଭାଷା ପ୍ରୟୋଗ କରିଛନ୍ତି, ତାହା ଖୋଲା ଧମକ ବୋଲି ସିସୋଡିଆ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି। ତିଓ୍ବାରୀଙ୍କ ଭାଷା କେଜ୍‌ରିଓ୍ବାଲଙ୍କୁ ହତ୍ୟା ଲାଗି ଗୋପନ ଷଡ଼ଯନ୍ତ୍ରର ସୂଚନା ପ୍ରଦାନ କରୁଛି। ଧମକ ଦେଉଥିବା ଭାଜପା ନେତାଙ୍କୁ ଗିରଫ କରାଯାଉ ବୋଲି ସିସୋଡିଆ ଦାବି କରିଛନ୍ତି। ଅନ୍ୟପକ୍ଷରେ ସିସୋଡିଆଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ପ୍ରକାଶ କରି ତିଓ୍ବାରୀ କହିଛନ୍ତି, କେଜ୍‌ରିଓ୍ବାଲଙ୍କୁ ସୁରକ୍ଷାକୁ ନେଇ ସେ ଚିନ୍ତିତ। ସିସୋଡିଆ କୌଣସି ପୁରୁଣା ଲେଖାକୁ ପଢ଼ିଛନ୍ତି। ଅବକାରୀ ଚଢ଼ାଉ ବେଳେ ସିସୋଡିଆଙ୍କୁ ଗିରଫ କରାଯିବ ବୋଲି କେଜ୍‌ରିଓ୍ବାଲ କହୁଥିଲେ। ଏବେ ସିସୋଡିଆ କହୁଛନ୍ତି, କେଜ୍‌ରିଓ୍ବାଲଙ୍କୁ ହତ୍ୟା ଲାଗି ଯୋଜନା ହେଉଛି। ଏହା କ’ଣ ଚାଲିଛି ସେ ଜାଣିପାରୁନାହାନ୍ତି ବୋଲି ଭାଜପା ନେତା କହିଛନ୍ତି।

Share