Categories: ଜାତୀୟ

ଭାଜପା ପ୍ରସ୍ତୁତ କଲା ପଞ୍ଜାବ ବିଧାନସଭା ନିର୍ବାଚନ ଜିତିବାର ପ୍ଲାନ, ଅମରିନ୍ଦରଙ୍କ ସହ ସିଟ୍ ଶେୟାରିଂ ଫର୍ମୁଲା ଶେଷ!

ନୂଆଦିଲ୍ଲୀ,୧୭ ।୧୨: ଭାରତୀୟ ଜନତା ପାର୍ଟି(ଭାଜପା) ପଞ୍ଜାବ ବିଧାନସଭା ନିର୍ବାଚନ ଜିତିବାର ସମସ୍ତ ଯୋଜନା ପ୍ରସ୍ତୁତ କରି ସାରିଲାଣି । ଶୁକ୍ରବାର ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ‘ପଞ୍ଜାବ ଲୋକ କଂଗ୍ରେସ’ର ନେତା କ୍ୟାପଟେନ ଅମରିନ୍ଦର ସିଂ ଏଥିରେ ଏକ ପ୍ରକାର ମୋହର ଲଗାଇ ଦେଇଛନ୍ତି । ଇତି ମଧ୍ୟରେ କ୍ୟାପଟେନ ଅମରିନ୍ଦର ସିଂ କେନ୍ଦ୍ରମନ୍ତ୍ରୀ ତଥା ପଞ୍ଜାବର ଭାରତୀୟ ଜନତା ପାର୍ଟି(ଭାଜପା) ପ୍ରଭାରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କ ସହ ସାକ୍ଷାତ୍ କରିଛନ୍ତି । ଏମାନଙ୍କ ବୈଠକ ପରେ ଶେଖାୱତ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦଳର ଅଧ୍ୟକ୍ଷ ଜେପି ନଡ୍ଡା ପ୍ରଥମରୁ କହି ସାରିଛନ୍ତି ଆମେ ମିଳିତ ଭାବେ ନିର୍ବାଚନ ଲଢିବୁ । ଆଜି ମୁଁ ସ୍ପଷ୍ଟ କରୁଛି ଯେ ଆମେ ମିଳିମିଶି ବା ଆମ ମେଣ୍ଟ ନିର୍ବାଚନ ଲଢିବାକୁ ଯାଉଛି । ଆସନ ବୁଝାମଣାକୁ ନେଇ ସମୟ ଆସିଲେ ସୂଚନା ଦିଆଯିବ ବୋଲି ସେ କହିଛନ୍ତି । ଅନ୍ୟପଟେ କ୍ୟାପଟେନ ଅମରିନ୍ଦର ସିଂ କହିଛନ୍ତି ଆମ ମେଣ୍ଟ ୧୦୧ ପ୍ରତିଶତ ନିର୍ବାଚନ ଜିତି ସରକାର ଗଢିବାକୁ ଯାଉଛୁ । ଯେବେ ଆସନ ବଣ୍ଟା ହୋଇଯିବ ତା’ପରେ ବିଜୟ ସମ୍ଭାବନା ସବୁଠାରୁ ବଡ ଓ ଏକମାତ୍ର ଫ୍ୟାକ୍ଟର ହେବ । ଆସନକୁ ନେଇ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ।
ଅନ୍ୟପଟେ ଭାଜପା ସୁଖଦେବ ସିଂ ଢିଢସାଙ୍କ ଦଳ ସହ ମଧ୍ୟ ମେଣ୍ଟ କରିବା ଏକ ପ୍ରକାର ନିଶ୍ଚିତ ହୋଇ ଯାଇଥିବା କୁହାଯାଉଛି । ଆଗରୁ ଅନୁମାନ କରାଯାଉଥିଲା କି ପଞ୍ଜାବ ବିଧାନସଭାର ୧୧୭ ଆସନ ମଧ୍ୟରୁ ଭାଜପା ୮୦-୮୫ ଆସନରେ ନିର୍ବାଚନ ଲଢିପାରେ, ଏହାସହ ଅମରିନ୍ଦର ସିଂଙ୍କ ଦଳ ୨୦-୨୫ ଆସନରେ ଓ ଆଉ କିଛି ଆସନ ସୁଖଦେବ ସିଂ ଢିଢସାଙ୍କ ଦଳକୁ ଦିଆଯିବ । ଏବେ କେବଳ ଅପେକ୍ଷା କାହାକୁ ମିଳୁଛି କେତେ ଆସନ । ଆହୁରି ମଧ୍ୟ ଅନୁମାନ କରାଯାଉଛି କି ଭାଜପା ସହ ଯଦି ଅନ୍ୟ ଦଳର ତାଳମେଳ ଠିକ ରହିଲା ତେବେ ଡିସେମ୍ବର ଶେଷ ସୁଦ୍ଧା ମେଣ୍ଟ ସମ୍ପର୍କରେ ଘୋଷଣା କରାଯିବ ।

Share