ନୂଆଦିଲ୍ଲୀ,୨୪।୪: ଆମ ଆଦମୀ ପାର୍ଟିକୁ ଏକ ବଡ଼ ରାଜନୈତିକ ଝଟକା ଲାଗିଛି। ଶୁକ୍ରବାର ୨୪ ଏପ୍ରିଲ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରି ରାଘବ ଚଢା କହିଛନ୍ତି ଯେ ତାଙ୍କ ସହିତ ଦଳର ଅନ୍ୟ ଛଅ ଜଣ ରାଜ୍ୟ ସଭା ଏମପି ଏଏପି ଛାଡୁଛନ୍ତି। ଏବଂ ସେମାନେ ଭାଜପାରେ ଯୋଗଦେବେ। ସେ ଆମ ଆଦମୀ ପାର୍ଟିକୁ ମଧ୍ୟ ଟାର୍ଗେଟ କରି କହିଛନ୍ତି ଯେ ଏହା ଆଉ ପୂର୍ୱ ଭଳି ଦଳ ନାହିଁ। ଏହାର ଜବାବରେ, ଦିଲ୍ଲୀର ପୂର୍ୱତନ ମୁଖ୍ୟମନ୍ତ୍ରୀ ଏବଂ ଏଏପିର ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ଏକ ପ୍ରତିକ୍ରିୟା ଜାରି କରିଛନ୍ତି।
Xରେ ଏକ ପୋଷ୍ଟରେ ଭାଜପାକୁ କଟାକ୍ଷ କରି ଅରବିନ୍ଦ କେଜରିୱାଲ କହିଛନ୍ତି, “ଭାଜପା ପୁଣି ଥରେ ପଞ୍ଜାବର ଲୋକଙ୍କୁ ବିଶ୍ୱାସଘାତକତା କରିଛି।”
ଭାଜପାରେ ଯୋଗଦେବେ: ରାଘବ ଚଢା, ଅଶୋକ ମିତ୍ତଲ, ସ୍ୱାତୀ ମାଲିୱାଲ, ହରଭଜନ ସିଂ, ସନ୍ଦୀପ ପାଠକ, ବିକ୍ରମଜିତ୍ ସିଂ ସାହନି, ରାଜେନ୍ଦ୍ର ଗୁପ୍ତା
ରାଘବ ଚଢା କହିଛନ୍ତି, “ମୁଁ ନିଶ୍ଚିତ କରୁଥିଲି ଯେ ସବୁକିଛି ଭଲ ଭାବରେ ଘଟେ। ମୁଁ ଦଳର କାର୍ଯ୍ୟକଳାପରୁ ନିଜକୁ ଦୂରେଇ ରଖିଥିଲି କାରଣ ମୁଁ ସେମାନଙ୍କ ଭୁଲରେ ସାମିଲ ହେବାକୁ ଚାହୁଁ ନଥିଲି। ମୁଁ ସେମାନଙ୍କ ଭୁଲରେ ଭାଗ ନେବାକୁ ମନା କରିଦେଇଥିଲି, ତେଣୁ ମୁଁ ସେମାନଙ୍କ ବନ୍ଧୁତାର ଅଯୋଗ୍ୟ ବୋଲି ବିବେଚିତ ହୋଇଥିଲି। ଆମ ପାଖରେ କେବଳ ଦୁଇଟି ବିକଳ୍ପ ବାକି ଥିଲା, ସମ୍ପୂର୍ଣ୍ଣ ରାଜନୀତି ଛାଡିଦେବା, କିମ୍ବା ସକାରାତ୍ମକ ରାଜନୀତିରେ ସାମିଲ ହେବା ପାଇଁ ଆମର ଅଭିଜ୍ଞତାକୁ ବ୍ୟବହାର କରିବା। ଫଳସ୍ୱରୂପ, ଆମେ ନିଷ୍ପତ୍ତି ନେଇଥିଲୁ ଯେ ରାଜ୍ୟ ସଭାରେ ଦୁଇ-ତୃତୀୟାଂଶ ଏଏପି ଏମପି ଭାଜପାରେ ମିଶିଯିବେ।”