ମଣ୍ଡି,୮।୯: ହିମାଚଳ ପ୍ରଦେଶର ମଣ୍ଡିରୁ ଭାଜପା ସାଂସଦ କଙ୍ଗନା ରାଣାୱତ ଜିଲା ବିକାଶ ସମନୱୟ ଓ ନିରୀକ୍ଷଣ କମିଟି (ଦିଶା) ବୈଠକରେ ଅଧିକାରୀଙ୍କ କାର୍ଯ୍ୟଶୈଳୀକୁ ନେଇ କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି। କେନ୍ଦ୍ର ପ୍ରାୟୋଜିତ ଯୋଜନା ଓ ସାଂସଦ ପାଣ୍ଠିରେ ଚାଲିଥିବା ବିକାଶ କାର୍ଯ୍ୟର ସମୀକ୍ଷା ବେଳେ ସେ ଅଧିକାରୀମାନଙ୍କୁ ଜବାବଦେହୀ ହୋଇ କାମ କରିବାକୁ ତାଗିଦ କରିଛନ୍ତି।
କଙ୍ଗନା କହିଛନ୍ତି ଯେ, ତାଙ୍କ ସାଂସଦ ପାଣ୍ଠିରେ ପ୍ରାୟ ୧୧ କୋଟି ଟଙ୍କା ଉପଲବ୍ଧ ଥିଲା। କିନ୍ତୁ ଅଧିକାରୀମାନେ ଏଥିରୁ ମାତ୍ର ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଏହାକୁ ନେଇ ସେ ଅଧିକାରୀଙ୍କୁ ପ୍ରଶ୍ନ କରିବା ସହ ଖର୍ଚ୍ଚର ପରଫର୍ମାନ୍ସ ରିପୋର୍ଟ ମାଗିଛନ୍ତି। ବୈଠକରେ କଙ୍ଗନା କହିଥିଲେ, ମୋତେ ଏହି ବେକାର ମିଛ ପ୍ରତିଶ୍ରୁତି ଶୁଣାନ୍ତୁ ନାହିଁ। ପ୍ରତ୍ୟେକ ଦିଶା କମିଟି ବୈଠକରେ ମୋତେ ଏହା ହିଁ ଶୁଣିବାକୁ ମିଳୁଛି।
MPLADS ପାଣ୍ଠି ସମ୍ପର୍କରେ ପଚରାଯିବା ବେଳେ ପୂର୍ବରୁ ତାଙ୍କୁ ପ୍ରାୟ ୯୦ ପ୍ରତିଶତ ପାଣ୍ଠି ଖର୍ଚ୍ଚ ହୋଇସାରିଥିବା କୁହାଯାଇଥିଲା ବୋଲି କଙ୍ଗନା ଅଭିଯୋଗ କରିଛନ୍ତି। ଏବେ ପ୍ରକୃତ ସ୍ଥିତିକୁ ନେଇ ସେ ଅଧିକାରୀଙ୍କଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି। ଅଧିକାରୀଙ୍କ ବିଳମ୍ବିତ କାର୍ଯ୍ୟକୁ ନେଇ କଙ୍ଗନା ଅସନ୍ତୋଷ ପ୍ରକାଶ କରିଥିଲେ। ସେ କହିଥିଲେ ଯେ, ଅଧିକାରୀଙ୍କୁ କାମ କରାଇବା ପାଇଁ କେନ୍ଦ୍ରରୁ ଚିଠି ପଠାଇବାକୁ ପଡ଼ୁଛି, ତଥାପି କାମ ଠିକ ଭାବେ ହେଉନାହିଁ। ତାଙ୍କ ଅଫିସର କଥା ମଧ୍ୟ ଶୁଣାଯାଉନାହିଁ ବୋଲି ସେ କହିଥିଲେ।
ବିକାଶ କାର୍ଯ୍ୟରେ ଅବହେଳାକୁ ନେଇ କଙ୍ଗନା କହିଥିଲେ ଯେ, ଏହାର ପ୍ରଭାବରେ ନକାରାତ୍ମକ ପ୍ରଚାର ବଢ଼ୁଛି ଏବଂ ଲୋକମାନେ ରିଲ୍ସ ତିଆରି କରୁଛନ୍ତି। ଏହା ଯୋଗୁ ତାଙ୍କର ବଦନାମ ହେଉଛି ବୋଲି ସେ ଅସନ୍ତୋଷ ବ୍ୟକ୍ତ କରିଥିଲେ।
କଙ୍ଗନା କହିଥିଲେ ଯେ, ସରକାରୀ ଯୋଜନାର ମୂଳ ଉଦ୍ଦେଶ୍ୟ ହେଉଛି ଯୋଗ୍ୟ ହିତାଧିକାରୀଙ୍କ ପାଖରେ ସୁବିଧା ପହଞ୍ଚାଇବା। ଜନସାଧାରଣଙ୍କ ଟଙ୍କାର ଦୁରୁପଯୋଗ ଯେପରି ନହୁଏ, ସେଥିପ୍ରତି ପ୍ରଶାସନକୁ ଗୁରୁତ୍ୱ ଦେବାକୁ ପଡ଼ିବ।
ସେ ପ୍ରାୟ ୩୦ରୁ ୪୦ ପ୍ରତିଶତ ଜନତାଙ୍କ ଟଙ୍କା ଭୁଲ ହାତକୁ ଯାଉଥିବା ନେଇ ଚିନ୍ତା ପ୍ରକାଶ କରିବା ସହ ଯୋଜନାଗୁଡ଼ିକର ନିରୀକ୍ଷଣ ବ୍ୟବସ୍ଥାକୁ ଆହୁରି ମଜବୁତ କରିବାକୁ କହିଥିଲେ।
ସାଂସଦ ଅଧିକାରୀମାନଙ୍କୁ ସ୍ପଷ୍ଟ ଭାବେ କହିଥିଲେ ଯେ, କେନ୍ଦ୍ର ସରକାରଙ୍କ ଯୋଜନା କେବଳ କାଗଜପତ୍ରରେ ସୀମିତ ରହିବା ଉଚିତ ନୁହେଁ। ଏହାର ପ୍ରକୃତ ଲାଭ ଗାଁ ଓ ଆବଶ୍ୟକତା ଥିବା ଲୋକଙ୍କ ପାଖରେ ପହଞ୍ଚିବା ଦରକାର।
ବିକାଶ କାର୍ଯ୍ୟର ଗୁଣବତ୍ତା, ଯୋଜନାର ଅଗ୍ରଗତି ଓ ସରକାରୀ ଧନର ବ୍ୟବହାର ଉପରେ କଡ଼ା ନଜର ରଖିବା ସହ ନିର୍ଦ୍ଧାରିତ ସମୟରେ କାମ ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଜନପ୍ରତିନିଧି ଓ ଅଧିକାରୀଙ୍କ ଦାୟିତ୍ୱ ହେଉଛି ଜନତାଙ୍କ ଟଙ୍କାର ସମ୍ପୂର୍ଣ୍ଣ ସ୍ବଚ୍ଛତା ସହ ବ୍ୟବହାର ସୁନିଶ୍ଚିତ କରିବା ବୋଲି କଙ୍ଗନା କହିଛନ୍ତି।