ମଇଳା ସ୍ବେରେଜ ପାଣିରେ ଚାଲିଲେ ଭାଜପା ବିଧାୟକ

ହାପୁର,୩୦।୭: ଉତ୍ତରପ୍ରଦେଶ ଜନପଦ ହାପୁଡ ଜିଲାର ଗଡ଼ମୁକ୍ତେଶ୍ୱରରୁ ଏକ ଭିଡିଓ ସାମ୍ନାକୁ ଆସିଛି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଭାଜପା ବିଧାୟକ କମଲ ସିଂହଙ୍କୁ ଗ୍ରାମବାସୀଙ୍କ ବିରୋଧର ସାମ୍ନା କରିବାକୁ ପଡ଼ିଛି। ଉତ୍ତ୍ୟକ୍ତ ଗ୍ରାମବାସୀ ରାସ୍ତାରେ ଜମା ହୋଇଥିବା ମଇଳା ସ୍ବେରେଜ ପାଣିରେ ବିଧାୟକଙ୍କ ହାତ ଧରି ଚଲାଇଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ମିଶନ ପାଇଁ ବୁଧବାର ବିଧାୟକ କମଲ ସିଂହ ପଦଯାତ୍ରାରେ ଢ଼ୋଲପୁର ଓ ନାନଇ ସମତେ ଅନେକ ଗାଁରେ ପହଞ୍ଚିଥିଲେ। ଢ଼ୋଲପୁରରେ ଜନସଭାକୁ ସମ୍ବୋଧିତ କରିବା ପରେ ବିଧାୟକ କମଲ ଗାଁରେ ବୁଲିବୁଲି ଲୋକଙ୍କ ସହ ଆଲୋଚନା କରୁଥିଲେ ଏବଂ ତାଙ୍କ ବିଷୟରେ ପଚାରି ବୁଝିଥିଲେ।

 

ସେହି ସମୟରେ ଢ଼ୋଲପୁରର ଗ୍ରାମର ଲୋକମାନେ ଏକତ୍ରିତ ହୋଇ ତାଙ୍କୁ ଘେରିନେଇଥିଲେ। ଗତ କିଛି ଦିନରୁ ହୋଇଥିବା ଲଗାଣ ବର୍ଷା ଯୋଗୁ ରାସ୍ତା ଜଳାର୍ଣ୍ଣବ ହୋଇଯାଇଥିବା ବେଳେ ଯାତାୟତରେ ବାଧା ଉପୁଜିଥିଲା। ଗାଁରେ କୌଣସି ବିକାଶମୂଳକ କାର୍ଯ୍ୟ ହୋଇ ନ ଥିବା ବେଳେ ରାସ୍ତାଘାଟ ମଧ୍ୟ ତିଆରି ହୋଇନାହିଁ। ଫଳରେ ଗ୍ରାମବାସୀଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି। ଏଥିପାଇଁ ଉତ୍ତ୍ୟକ୍ତ ଗ୍ରାମବାସୀ ରାସ୍ତାରେ ଜମା ହୋଇଥିବା ମଇଳା ସ୍ବେରେଜ ପାଣିରେ ଉକ୍ତ ବିଧାୟକଙ୍କ ହାତ ଧରି ଚଲାଇଥିଲେ। ଥରେ ନୁହେଁ ଦୁଇ ଦୁଇଥର ବିଧାୟକଙ୍କୁ ଉକ୍ତ ପାଣିରେ ଚାଲିବାକୁ ବାଧ୍ୟ କରିଥିଲେ ଗ୍ରାମବାସୀ। ଏହି ସମୟର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଏହି ଘଟଣା ସର୍ବ ସମ୍ମୁଖକୁ ଆସିବା ପରେ ବିରୋଧୀ ଏବେ କମଲ ସିଂହଙ୍କୁ ଟାର୍ଗେଟ କରିଛନ୍ତି।

Share