Categories: ଜାତୀୟ

ସ୍ତ୍ରୀ-ସ୍ବାମୀଙ୍କ ଘର କଳି ପଦାରେ, ଭାଜପା ମନ୍ତ୍ରୀ ସ୍ବାତୀ ସିଂଙ୍କ ଟିକଟ କଟିଲା…

ଲକ୍ଷ୍ନୌ, ୨।୨ : ଉତ୍ତରପ୍ରଦେଶର ଲକ୍ଷ୍ନୌର ସରୋଜିନୀନଗର ଆସନରୁ ଭାଜପା ମନ୍ତ୍ରୀ ସ୍ବତୀ ସିଂଙ୍କ ଟିକଟକୁ କଟା ଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶକ୍ରମେ ଏଭଳି ହୋଇଥିବା ଚର୍ଚ୍ଚା ହେଉଛି। ଏହା ପରେ ସ୍ବାତୀ ସିଂଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ସେ ନେଇ ନାନା ଆକଳନ କରାଯାଉଛି। ସ୍ବାତୀ ସିଂଙ୍କ ରାଜନୈତିକ ଯାତ୍ରା ଏପର୍ଯ୍ୟନ୍ତ ବିବାଦ ଘେରରେ ରହିଛି।

ତାଙ୍କ ଟିକେଟ କାଟିବା ପଛରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ବୋଲି କୁହାଯାଉଛି। ଘର କଳି ବାହାରେ ପଡ଼ିବା ଯୋଗୁ ଏଭଳି ହୋଇଥିବା ଅନୁମାନ କରାଯାଉଛି। ସରୋଜିନୀନଗର ଆସନରୁ ଇଡିର ଯୁଗ୍ମ ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଥିବା ରାଜେଶ୍ୱର ସିଂଙ୍କୁ ଭାଜପା ଟିକଟ ଦେଇଛି। ଭାଜପାର ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ସ୍ବାତୀ ସିଂଙ୍କଠାରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ।

ସରୋଜିନୀନଗର ଆସନ ପାଇଁ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି (ଏସପି) ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ। ଲକ୍ଷ୍ନୌର ଅନ୍ୟାନ୍ୟ ଆସନରେ ଏସପି ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ସ୍ବାତୀ ହୁଏତ ଏସପିରେ ଯୋଗଦେଇ ପାରନ୍ତି ବୋଲି ନାନା କଳ୍ପନାଜଳ୍ପନା ପ୍ରକାଶ ପାଇବାରେ ଲାଗିଛି। ତାଙ୍କ ସ୍ବାମୀ ଦିନଶଙ୍କର ସିଂ କହିଛନ୍ତି ଯେ ସେ ରାଜେଶ୍ୱର ସିଂଙ୍କ ପାଇଁ ପ୍ରଚାର କରିବେ।

ଟିକଟ କଟିବା ପରେ ସ୍ବାତୀ ସିଂଙ୍କ ଘରେ ନୀରବତା ଥିବାବେଳେ ତାଙ୍କ ସ୍ବାମୀ ଦିନଶଙ୍କର ସିଂଙ୍କ ସମର୍ଥକଙ୍କ ମଧ୍ୟରେ ଖୁସିର ବାତାବରଣ ରହିଥିଲା। ଟିକଟ ପାଇଥିବା ନେତାମାନଙ୍କୁ ଦିନଶଙ୍କର ସିଂ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି। ସ୍ବାତୀ ସିଂଙ୍କ ଟିକେଟ କଟିବା ବିଷୟରେ ଆଲୋଚନା ଦୀର୍ଘ ସମୟ ଧରି ଚାଲିଥିଲା। ଏବେ ସମସ୍ତଙ୍କ ନଜର ସ୍ବାତୀ ସିଂଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ରହିଛି।

Share