ଅନୁଗୋଳ,୧୯।୭(ମାନସ ବିଶ୍ୱାଳ)/ (ଜ୍ୟୋତିରଞ୍ଜନ ସାହୁ):ଜଣେ ଯୁବତୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଅଭିଯୋଗରେ ଅନୁଗୋଳ ଜିଲା ଭାଜପା ସମ୍ପାଦକ ତଥା ଯୁବନେତା ସୁଦୀପ୍ତ ସ୍ବାଇଁ ଗିରଫ ହୋଇଛନ୍ତି। ବନ୍ତଳା ପୋଲିସ ୧୭ ତାରିଖ ରାତିରେ ତାଙ୍କୁ ଗିରଫ କରିଛି। ଭାଜପା ନେତାଙ୍କ ଏହି ଗିରଫଦାରି ପରେ ଅନୁଗୋଳ ଜିଲା ରାଜନୀତି ଜୋର୍ ଧରିଛି। କଂଗ୍ରେସ ପକ୍ଷରୁ ଶୁକ୍ରବାର ଖବରଦାତା ସମ୍ମିଳନୀ କରାଯାଇ ପୀଡ଼ିତାଙ୍କୁ ନ୍ୟାୟ ଓ ମହିଳାମାନଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଦାବି କରାଯାଇଛି। ସେହିପରି ପୋଲିସ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ବିଜେଡି ରାସ୍ତାକୁ ଓହ୍ଲାଇବ ବୋଲି ଜିଲା ବିଜେଡି ପକ୍ଷରୁ ଖବରଦାତା ସମ୍ମିଳନୀରେ କୁହାଯାଇଛି। ଅପରପକ୍ଷରେ ଭାଜପା ପକ୍ଷରୁ ତୁରନ୍ତ ଯୁବନେତା ସ୍ବାଇଁଙ୍କୁ ଦଳରୁ ନିଲମ୍ବନ କରାଯାଇଥିବା ଅନୁଗୋଳ ଜିଲା ସଭାପତି ଯଯାତୀ କେଶରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ଅନୁଗୋଳ ସହରରେ ଥିବା ଏକ ବ୍ୟାଙ୍କରେ ସମ୍ପୃକ୍ତା ଯୁବତୀ କାର୍ଯ୍ୟ କରନ୍ତି। ସୁଦୀପ୍ତଙ୍କ ସହ ତାଙ୍କର ଜଣାଶୁଣା ଥିଲା। ହେଲେ ସୁଦୀପ୍ତ ତାଙ୍କୁ ବାରମ୍ବାର ଶାରୀରିକ ଓ ମାନସିକ ନିର୍ଯାତନା ଦେଇଆସୁଥିଲେ। ଏପରି କି ରାସ୍ତାରେ ତାଙ୍କ ଗାଡ଼ିକୁ ଅଟକାଇ ଗାଳିକରିବା ସହ ମାଡ଼ ମାରିବା ପାଇଁ ହାତ ଉଠାଉଥିଲେ। ଘର ସମ୍ମୁଖରେ ମାରଣାସ୍ତ୍ର ଧରି ଗଣ୍ଡଗୋଳ କରୁଥିବାରୁ ଯୁବତୀ ଜଣକ ଏ ନେଇ ଗତ ୧୬ ତାରିଖରେ ବନ୍ତଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ତୁରନ୍ତ ନଂ. ୨୫୯/୨୫ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ୧୭ ତାରିଖ ରାତିରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ଘଟଣା ଜଣାପଡ଼ିବା ପରେ ଅନୁଗୋଳ ଜିଲା କଂଗ୍ରେସ ପକ୍ଷରୁ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ଦଳୀୟ କାର୍ଯ୍ୟାଳୟରେ ଏକ ଖବରଦାତା ସମ୍ମିଳନୀ କରାଯାଇଥିଲା। ଏଥିରେ ଜିଲା କଂଗ୍ରେସ ସଭାପତି ଅମ୍ବିକା ଭଟ୍ଟ, ମହିଳା ନେତ୍ରୀ ଅଳକା ରାଣୀ ମହାପାତ୍ର, ସୁନିଲ ପ୍ରଧାନ, ଜିତେନ୍ଦ୍ର ସାହୁ ଉପସ୍ଥିତ ରହି ଭାଜପା ନେତୃତ୍ୱ ବ୍ୟକ୍ତି ବିଶେଷମାନେ ନାରୀ ନିର୍ଯାତନାକୁ ପ୍ରଶ୍ରୟ ଦେଉଥିବା ଅଭିଯୋଗ କରିବା ସହ ମହିଳାଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ଦାବି କରିଥିଲେ। ରାଜ୍ୟରେ ମହିଳାମାନଙ୍କ ପ୍ରତି ଦିନକୁ ଦିନ ବଢ଼ି ଚାଲିଥିବା ନିର୍ଯାତନାକୁ ରୋକିବାରେ ବର୍ତ୍ତମାନର ସରକାର ବିଫଳ ହୋଇଛି ବୋଲି ଅଭିଯୋଗ କରିବା ସହ ଇସ୍ତଫା ଦେବାକୁ ଦାବି କରିଥିଲେ। ସେହିପରି ଜିଲା ବିଜେଡି କାର୍ଯ୍ୟାଳୟରେ ଜିଲା ସଭାପତି ବ୍ରଜକିଶୋର ପ୍ରଧାନଙ୍କ ନିର୍ଦ୍ଦେଶରେ ପୂର୍ବତନ ସଭାପତି ମହେନ୍ଦ୍ର ବସ୍ତିଆଙ୍କ ଅଧ୍ୟକ୍ଷତାରେ ଏକ ଖବରଦାତା ସମ୍ମିଳନୀ କରାଯାଇ ସୁଦୀପ୍ତଙ୍କ ନାମରେ କୋହଳ ଦଫା ଲଗାଯାଇଥିବା ଅଭିଯୋଗ କରାଯାଇଥିଲା। ଯଦି ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ଉଚିତ କାର୍ଯ୍ୟନୁଷ୍ଠାନ ନ ନିଏ ଦଳ ରାସ୍ତାକୁ ଓହ୍ଲାଇବ ବୋଲି ଯୁବନେତା ଅରୁଣାଭ ସିଂହ ଓ ଛାତ୍ର ଜନତା ଦଳ ସଭାପତି ରାଜୀବ ଲୋଚନ ପ୍ରମୁଖ ଚେତାବନୀ ଦେଇଥିଲେ।


