Categories: ଜାତୀୟ

ବାହାଘରରେ ଟଙ୍କା ଉଡ଼ାଇଲେ ଭାଜପା ନେତା

ମେହସନା, ୨୦।୨: ବିବାହକୁ ନେଇ ଅନେକ ସ୍ଥାନରେ ଭିନ୍ନଭିନ୍ନ ରୀତି, ନିୟମ ରହିଛି, ଯାହାକୁ ସୁଚାରୁରୂପେ ସମ୍ପାଦନ କରିବା ପାଇଁ ଲୋକେ ବହୁ ଆୟୋଜନ କରିଥାନ୍ତି। କନିଆ ଘରକୁ ବରଯାତ୍ରୀ ଶୋଭାଯାତ୍ରା ବାହାରିବା ସମୟରେ ସେମାନଙ୍କ ଉପରକୁ ଟଙ୍କା ଫିଙ୍ଗାଯିବାର ପରମ୍ପରା ବିଶେଷକରି ଗୁଜରାଟରେ ଦେଖିବାକୁ ମିଳିଥାଏ। ନିଜ ପୁତୁରା ବାହାଘରରେ ଟଙ୍କା ବର୍ଷା କରି ଗୁଜରାଟ ମେହସନା ଜିଲା ଅଗୋଲ ଗ୍ରାମର ପୂର୍ବତନ ସରପଞ୍ଚ କରିମ ଯାଦବ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।

ଭାଜପା ନେତା କରିମଙ୍କ ପୁତୁରା ରାଜାକଙ୍କ ବାହାଘର ନିକଟରେ ଶେଷ ହୋଇଛି। ବାହାଘର ଦିନ ରାଜାକ ଯେତେବେଳେ ବରଯାତ୍ରୀ ଧରି ଘରୁ ବାହାରନ୍ତି ସେ ସମୟରେ କରିମ ଛାତ ଉପରେ ରହି ୫୦୦ ଟଙ୍କିଆ ନୋଟ୍‌ ତଳେ ରୁଣ୍ଡ ହୋଇଥିବା ଲୋକଙ୍କ ଉପରକୁ ପିଙ୍ଗିଥିଲେ। ଖାଲି କରିମ ନୁହନ୍ତି, ତାଙ୍କ ପରିବାରର ବହୁ ସଦସ୍ୟ ଛାତରେ ଛିଡ଼ା ହୋଇ ଟଙ୍କା ବର୍ଷା କରୁଥିବାର ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି। ଏତେମାତ୍ରାରେ ଟଙ୍କା ଉଡ଼ାଉଥିବା ଦେଖି ଗାଁର ଅନେକ ଲୋକ କରିମଙ୍କ ଘର ଆଗରେ ଜମା ହୋଇଥିଲେ। ତଳେ ପଡ଼ୁଥିବା ଟଙ୍କା ନେବା ପାଇଁ ଲୋକଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଥିଲା। କରିମ ଟଙ୍କା ଫିଙ୍ଗିଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବହୁ ୟୁଜର୍ସ ଭିଡିଓକୁ ନେଇ କରିମଙ୍କୁ ସମାଲୋଚନା କରିଥିବାବେଳେ ଅନେକେ ତାଙ୍କୁ ଉପହାସ କରିଛନ୍ତି।

ଗତବର୍ଷ ବେଙ୍ଗାଲୁରୁରେ ସମାନ ଘଟଣା ଦେଖିବାକୁ ମିଳିଥିଲା। ସ୍ଥାନୀୟ ମାର୍କେଟ୍‌ର ଫ୍ଲାଏଓଭର୍‌ରେ ଛିଡ଼ା ହୋଇ ଜଣେ ବ୍ୟକ୍ତି ଟଙ୍କା ଫିଙ୍ଗିଥିଲେ, ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା। ବ୍ୟକ୍ତିଜଣକ କୋଟ୍‌, ପ୍ୟାଣ୍ଟ ପିନ୍ଧି ଏକ କାନ୍ଥଘଣ୍ଟାକୁ ନିଜ ବେକରେ ଝୁଲାଇଥିଲେ। ପାଖାପାଖି ୩୦୦୦ ଟଙ୍କାର ୧୦ ଟଙ୍କିଆ ନୋଟ୍‌ ସେ ଫ୍ଲାଏଓଭର୍‌ ଭଳେ ଯାଉଥିବା ଲୋକଙ୍କ ଉପରକୁ ଫୋପାଡ଼ିଥିବାବେଳେ ଲୋକେ ଏହାକୁ ଗୋଟାଇବା ଆରମ୍ଭ କରିବା ଯୋଗୁ ଟ୍ରାଫିକ୍‌ ଜାମ୍‌ ହୋଇଯାଇଥିଲା। ପରବର୍ତ୍ତୀ ସମୟରେ ପୋଲିସ ଘଟଣାସ୍ଥଳରେ ଗହଳି ଭାଙ୍ଗିବା ସହ ଉକ୍ତ ବ୍ୟକ୍ତିଙ୍କୁ ଥାନାକୁ ନେଇଥିଲା।

Share