ରାୟପୁର, ୧୯।୬: ଛତିଶଗଡ଼ କୋରିଆ ଜିଲାରେ ବାଲି ଖନନକୁ କେନ୍ଦ୍ର କରି ୨ଗୋଷ୍ଠୀ ମଧ୍ୟରେ ଏକ ଜଘନ୍ୟ ହିଂସାକାଣ୍ଡ ଘଟିଛି। ଅଭିଯୁକ୍ତମାନେ ଏକ କାର୍କୁ ଧକ୍କା ଦେଇ ନିଆଁ ଲଗାଇଦେବାରୁ ଜଣେ ଭାଜପା ନେତା ଜୀବନ୍ତ ଧଗ୍ଧ ହୋଇଥିବାବେଳେ ତାଙ୍କର ୨ ସମ୍ପର୍କୀୟଙ୍କ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଅନ୍ୟ ୨ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏହି ଘଟଣାଟି ସୋନହାଟର କୋଟଯୋଡ଼ି ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ହୋଇଛି। ଅଭିଯୁକ୍ତମାନେ ଏକ ଟିପ୍ପର ସାହାଯ୍ୟରେ ଫର୍ଚୁନର କାର୍କୁ ବାରମ୍ବାର ଧକ୍କା ଦେଇଥିଲେ। ଫଳରେ ଗାଡ଼ିରେ ନିଆଁ ଲାଗିବା ପୂର୍ବରୁ ସେଥିରେ ଥିବା ଲୋକମାନେ ଭିତରେ ଫସି ରହିଯାଇଥିଲେ। ମୃତକଙ୍କ ମଧ୍ୟରେ ଭାଜପା ନେତା ଭରତ ସିଂ ଗେହରୱାର ଓରଫ ଲାଲ୍ଲା ସିଂ ଗାଡ଼ି ଭିତରେ ସମ୍ପୂର୍ଣ୍ଣ ପୋଡ଼ି ହୋଇଯାଇଥିବାବେଳେ ତାଙ୍କ ସମ୍ପର୍କୀୟ ନାଗେନ୍ଦ୍ର ସିଂ ଏବଂ ବୀରେନ୍ଦ୍ର ସିଂଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଅନ୍ୟ ୨ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।
ଲାଲ୍ଲା ସିଂ ଦୀର୍ଘ ଦିନ ଧରି ଏହି ଅଞ୍ଚଳରେ ଜଣେ ରାଜନୈତିକ ପ୍ରଭାବଶାଳୀ ବ୍ୟକ୍ତି ଥିଲେ। ବାଲି ଖନନକୁ ନେଇ ଗତ କିଛି ମାସ ହେବ ଏହି ଅଞ୍ଚଳରେ ସିଂ ଏବଂ ଠାକୁର ଗୋଷ୍ଠୀ ମଧ୍ୟରେ ବିବାଦ ଚାଲିଥିଲା। ତଦନ୍ତକାରୀଙ୍କ କହିବାନୁସାରେ, ବାଲି ବ୍ୟବସାୟରେ ଜଡ଼ିତ ଦୁଇଟି ଗୋଷ୍ଠୀ ମଧ୍ୟରେ ବଢୁଥିବା ତିକ୍ତତା ଯୋଗୁଁ ଏହି ହିଂସାକାଣ୍ଡ ଘଟିଛି। ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ ଏହି ଘଟଣାକୁ ନିନ୍ଦା କରିବା ସହ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ଅତିରିକ୍ତ ଏସ୍ପି ଉମେଶ କାଶ୍ୟପଙ୍କ କହିବାନୁସାରେ, ଏହି ହିଂସା ପୂର୍ବରୁ ୨ଗୋଷ୍ଠୀ ମଧ୍ୟରେ କଳହ ହୋଇଥିଲା, ଫଳରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ସମାଧାନ ବା ଆପୋସ ବୁଝାମଣା ବାହାନାରେ ପୀଡ଼ିତମାନଙ୍କୁ ଘଟଣାସ୍ଥଳକୁ ଡକାଯାଇ ଯୋଜନାବଦ୍ଧଭାବେ ହତ୍ୟା କରାଯାଇଥିବା ଅଭିଯୋଗ ଉପରେ ଯାଞ୍ଚ କରାଯାଉଛି। ଏଥିସହ ଘଟଣାର ସମସ୍ତ ଦିଗକୁ ଯାଞ୍ଚ କରାଯାଉଛି ଏବଂ ସାକ୍ଷୀଙ୍କ ବୟାନ ଏବଂ ଫୋରେନ୍ସିକ ପ୍ରମାଣ ଆଧାରରେ ଘଟଣାର ତଦନ୍ତ କରାଯାଉଛି ବୋଲି କାଶ୍ୟପ କହିଛନ୍ତି।