ଭାଜପା ନେତାଙ୍କୁ ଗଳାକାଟି ହତ୍ୟା

ଘଣ୍ଟାପଡା/କଣ୍ଟାମାଳ,୨୪।୭(ଡି.ଏନ.ଏ.)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଘଣ୍ଟାପଡା ଫାଣ୍ଡି ଅଧୀନ ଆମ୍ବଗାଁ ସମଲେଶ୍ୱରୀ ନାଳ ନିକଟ ଆମ୍ବ ବଗିଚାରୁ ଶୁକ୍ରବାର ସକାଳେ ଜିଲା ଭାଜପା ଯୁବମୋର୍ଚ୍ଚା ସମ୍ପାଦକ ଲୋକନାଥ ପ୍ରଧାନ (୩୨)ଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଛି। ଦୁର୍ବୃତ୍ତମାନେ କୌଣସି ଧାରୁଆ ଅସ୍ତ୍ରରେ ତାଙ୍କ ଗଳାକାଟି ହତ୍ୟା କରିଥିବା ପାରିପାର୍ଶ୍ୱକ ସ୍ଥିତିରୁ ପୋଲିସ ଅନୁମାନ କରୁଛି। ଏହାସହ ତାଙ୍କ ଦୁଇ ହାତରେ କଟା ଚିହ୍ନ ରହିଛି। ସାଇଣ୍ଟିଫିକ ଟିମ୍‌ ତଦନ୍ତ କରୁଛି ା କଣ୍ଟାମାଳ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ଲାଗି ପଠାଇଛି। ଲୋକନାଥଙ୍କ ଭିଣୋଇ ବୀରବଲ୍‌ ମେସୁଆଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରି ତନାଘନା ଜାରି ରଖିଛି।
କଣ୍ଟାମାଳ ଥାନା ଅଧୀନ ଖମନମୁଣ୍ଡା ପଞ୍ଚାୟତ ସିଆଲଝୁଲି ଗାଁରେ ଲୋକନାଥଙ୍କ ଘର। ଗୁରୁବାର ରାତି ପ୍ରାୟ ୮ଟାରେ ତାଙ୍କ ପାଖକୁ ଏକ ଫୋନ୍‌ ଆସିବାରୁ ସେ ନିଜ ବାଇକ୍‌ ଧରି ଘରୁ ବାହାରିଥିଲେ। ରାତି ସାଢେ ଆଠଟାରେ ଘର ଲୋକେ ଫୋନ୍‌ କରିବାରୁ ସେ ପାଖରେ ଅଛନ୍ତି ବୋଲି କହିଥିଲେ। ଏହାର କିଛି ସମୟ ପରେ ସେ ଆଉ ଫୋନ୍‌ ଉଠାଇ ନ ଥିଲେ। ରାତିରେ ସେ ଆଉ ଘରକୁ ନ ଫେରିବାରୁ ସ୍ତ୍ରୀ ରୋହିଣୀ ତାଙ୍କ ସାଙ୍ଗ ସାଥୀଙ୍କୁ ଫୋନ୍‌ କରି ଖୋଜାଖୋଜି କରିଥିଲେ। ହେଲେ କୌଣସି ସନ୍ଧାନ ପାଇ ନ ଥିଲେ। ଶୁକ୍ରବାର ସକାଳେ ଆମ୍ବଗାଁ ସମଲେଶ୍ୱରୀ ନାଳ ପାଖ ଆମ୍ବବୁରିରେ ତାଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଦେଖି ସ୍ଥାନୀୟ ଲୋକେ ଘଣ୍ଟାପଡା ଫାଣ୍ଡି ପୋଲିସକୁ ଖବର ଦେଇଥିଲେ।
ତାଙ୍କୁ ଯୋଜନା ବଦ୍ଧ ଭାବେ ଘରୁ ଡାକିନେଇ ହତ୍ୟା କରାଯାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି। ଲୋକନାଥ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସମିତି ସଭ୍ୟ ପ୍ରାର୍ଥୀ ହୋଇଥିଲେ। ହେଲେ ଅଳ୍ପ ଭୋଟ ବ୍ୟବଧାନରେ ହାରି ଯାଇଥିଲେ। ରାଜନୈତିକ ଆକ୍ରୋଶରୁ ତାଙ୍କୁ କେହି ହତ୍ୟା କରିଛନ୍ତି ବୋଲି ଲୋକନାଥଙ୍କ ବାପା ଜଗଦୀଶ ପ୍ରଧାନ କହିିଛନ୍ତି।