Categories: ଜାତୀୟ

ଭାଜପା, ଜେଡିୟୁ, ଏଲ୍‌ଜେପି ଏକାଠି ଲଢ଼ିବେ

ନୂଆଦିଲ୍ଲୀ, ୨୪।୮ (ପି.ଟି.): ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ ଏନ୍‌ଡିଏର ତିନି ଦଳ ଭାଜପା, ଜେଡିୟୁ ଏବଂ ଏଲ୍‌ଜେପି ଏକାଠି ବିଧାନସଭା ନିର୍ବାଚନ ଲଢ଼ିବେ ବୋଲି ରବିବାର ଭାଜପା ଅଧ୍ୟକ୍ଷ ଜେ.ପି. ନଡ୍ଡା ସ୍ପଷ୍ଟ କରିଦେଇଛନ୍ତି। ଆଗାମୀ ନିର୍ବାଚନରେ ଏନ୍‌ଡିଏ ନିଶ୍ଚୟ ବିଜୟୀ ହେବ ବୋଲି ସେ ଦୃଢ଼ତାର ସହ କହିଛନ୍ତି। ନୀତୀଶ କୁମାରଙ୍କ ଜେଡିୟୁ ଏବଂ ଚିରାଗ ପାଶ୍ୱାନଙ୍କ ନେତୃତ୍ୱାଧୀନ ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି) ମଧ୍ୟରେ ବାକ୍‌ଯୁଦ୍ଧ ଲାଗିରହିଥିବାବେଳେ ବିହାର ଭାଜପା କାର୍ଯ୍ୟକାରିଣୀ ବୈଠକକୁ ଭିଡିଓ କନ୍‌ଫରେନ୍ସ ଜରିଆରେ ଉଦ୍‌ବୋଧନ ଦେଇ ନଡ୍ଡା ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ତିନି ଦଳ ଯେତେବେଳେ ଏକାଠି ନିର୍ବାଚନ ଲଢ଼ିଛନ୍ତି, ଏନ୍‌ଡିଏ ବିଜୟୀ ହୋଇଛି ବୋଲି ସେ କହିଛନ୍ତି। ୨୦୧୯ ଲୋକ ସଭା ନିର୍ବାଚନରେ ଏହି ମେଣ୍ଟ ଗୋଟିଏ ଆସନକୁ ବାଦ୍‌ ଦେଇ ଅନ୍ୟ ସମସ୍ତ ଆସନ ଜିତିଥିଲା। କଂଗ୍ରେସ ବିହାର ସମେତ ସାରା ଦେଶରେ ଏକ ପ୍ରଭାବହୀନ ଶକ୍ତି। ଭାଜପା ଏକମାତ୍ର ଦଳ ଯାହା ଉପରେ ଲୋକଙ୍କ ଆଶା ଓ ଭରସା ରହିଛି ବୋଲି ନଡ୍ଡା କହିଥିଲେ। ବିରୋଧୀ ଦଳରେ ନା ନୀତି ଅଛି ନା ଲୋକଙ୍କ ସେବା କରିବାର ମାନସିକତା। ଏହି ଦଳ ଆଗକୁ ବଢ଼ିପାରିବ ନାହଁ ବୋଲି ଭାଜପା ଅଧ୍ୟକ୍ଷ କହିଥିଲେ।

Share