Categories: ଜାତୀୟ

ଭାଜପାକୁ ୨୦୨୪ରେ ପରାଜୟର ଭୟ, ଏଥିଲାଗି ବାରମ୍ବାର ବିାହାର ଗସ୍ତରେ ଆସୁଛନ୍ତି ଶାହା: ତେଜସ୍ବୀ

ପୂର୍ଣ୍ଣିଆ,୨୫।୨: ବିହାର ରାଜନୀତି ଲାଗି ଶନିବାର ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଗୋଟିଏ ପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ବିହାରରେ ଦୁଇଟି ସଭାକୁ ସମ୍ବୋଧିତ କରି ଜେଡିୟୁ-ଆର୍‌ଜେଡି ମହାଗଠବନ୍ଧନକୁ ଟାର୍ଗେଟ କରିବାକୁ ଚେଷ୍ଟା କରିବେ। ଅପରପକ୍ଷେ ପୁର୍ଣ୍ଣିଆରେ ମହାଗଠବନ୍ଧନର ସମସ୍ତେ ନେତା ଏକଜୁଟ ହୋଇ ଭାଜପା ମୁକ୍ତ ଭାରତ କରିବାକୁ ଘୋଷଣା କରିବେ। ଏହା ମଧ୍ୟରେ ଶାହାଙ୍କ ବିହାର ଗସ୍ତକୁ ନେଇ କଟାକ୍ଷ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ। ୨୦୨୪ ଲୋକ ସଭା ନିର୍ବାଚନରେ ବିହାରରୁ କମ୍‌ ଆସନ ପାଇବାକୁ ନେଇ ଭାଜପା ଭୟଭୀତ ହୋଇପଡ଼ିଛି, ଏଥିଲାଗି ଶାହା ବାରମ୍ବାର ବିହାର ଗସ୍ତ କରୁଛନ୍ତି ବୋଲି ତେଜସ୍ବୀ କହିଛନ୍ତି।

ଏକ ସାକ୍ଷାତକାରରେ ତେଜସ୍ବୀ କହିଛନ୍ତି, ଶନିବାର ଆମ ସାଧାରଣ ସଭାରେ ଲକ୍ଷ ଲକ୍ଷ ଲୋକ ଯୋଗଦେବାକୁ ଯାଉଛନ୍ତି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ଆମର ମହାଗଠବନ୍ଧନ ଭାଜପାର ଚିନ୍ତା ବଢ଼ାଇ ଦେଇଛି। ସେମାନେ ରାଜ୍ୟରେ ଆସନ ହରାଇବେ ବୋଲି ଭୟ କରୁଛନ୍ତି। ଏଥିଲାଗି ଶାହା ବାରମ୍ବାର ବିହାର ଗସ୍ତ କରୁଛନ୍ତି। ହେଲେ ଏହି ଗସ୍ତରୁ ଭାଜପା କିଛି ପାଇବ ନାହିଁ।

ଏହାଛଡ଼ା ଭାଜପା ଦଙ୍ଗା କରିବାରେ ସମ୍ପୃକ୍ତ ଥିବା ଅଭିଯୋଗ କରି ତେଜସ୍ବୀ କହିଛନ୍ତି, ଦେଶରେ ଭାଜପାର କେବଳ ଗୋଟିଏ କାମ ରହିଛି, ସେଇଟି ହେଲା ସମାଜରେ ଘୃଣାଭାବକୁ ବଢ଼ାଇବା ଏବଂ ଦଙ୍ଗା ସୃଷ୍ଟି କରିବା। ହେଲେ ଆମେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟର ବାର୍ତ୍ତା ଦେବୁ। ସରକାର କେଉଁ କାରଣକୁ ବିହାରକୁ ପ୍ରତାରଣା କରିଛନ୍ତି ତାହା ଶାହା କହିବା ଉଚିତ। ବିହାର ଲାଗି କୌଣସି ସ୍ବତନ୍ତ୍ର ପ୍ୟାକେଜ୍‌ ନାହିଁ କି? ତେବେ ରାଜ୍ୟବାସୀ ଆସନ୍ତା ବର୍ଷ ହେବାକୁ ଥିବା ଲୋକ ସଭା ନିର୍ବାଚନରେ ଭାଜପାକୁ କେନ୍ଦ୍ରରୁ ହଟାଇବାକୁ ନିଷ୍ପତ୍ତି ନେଇଥିବା ତେଜସ୍ବୀ କହିଛନ୍ତି।

Share