ଝାରସୁଗୁଡ଼ାରେ ଭାଜପାର ତୀବ୍ର ଗୋଷ୍ଠୀ କନ୍ଦଳ : ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଅଟକାଇଲେ କର୍ମୀ ମା’ ସମଲେଇ ଦର୍ଶନ ନକରି ଫେରିଲେ…

ଝାରସୁଗୁଡ଼ା, ୧୧।୭ (ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲାରେ ଭାଜପାର ଗୋଷ୍ଠୀ କନ୍ଦଳ ଏବେ ଚରମ ସୀମାରେ ପହଞ୍ଚିଛି। ବିଶେଷକରି ଜିଲାର ଦୁଇ ପ୍ରମୁଖ ନେତା—ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ମଧ୍ୟରେ ଚାଲିଥିବା ମତଭେଦ ଏବେ ଜିଲା ରାଜନୀତିର ଚର୍ଚ୍ଚାର ବିଷୟ ପାଲଟିଛି। ଏହାର ଏକ ଜ୍ୱଳନ୍ତ ଉଦାହରଣ ଶନିବାର ସଦର ବ୍ଲକର ହିର୍ମା ପଞ୍ଚାୟତ ଅନ୍ତର୍ଗତ କନ୍ଦାଗାଡ଼ ଗ୍ରାମରେ ଦେଖିବାକୁ ମିଳିଛି।

ସୂଚନାନୁସାରେ, ଶନିବାର ସକାଳ ପ୍ରାୟ ୧୦ଟା ସମୟରେ ମନ୍ତ୍ରୀ ସୁରେଶ ପୂଜାରୀ କନ୍ଦାଗାଡ଼ ଗ୍ରାମସ୍ଥିତ ପ୍ରସିଦ୍ଧ ମା’ ସମଲେଇ ମନ୍ଦିରକୁ ଦର୍ଶନ ପାଇଁ ଯାଉଥିଲେ। ତେବେ ସେ ଗ୍ରାମରେ ପହଞ୍ଚିବା ପୂର୍ବରୁ ଖେରୁୱାଲ ଛକ ନିକଟରେ ଶତାଧିକ ଭାଜପା କର୍ମୀ ତାଙ୍କ ଗାଡ଼ିକୁ ଅଟକାଇ ବିରୋଧ ପ୍ରଦର୍ଶନ କରିଥିଲେ। ବିରୋଧ ପ୍ରଦର୍ଶନକାରୀ କର୍ମୀମାନେ “ସୁରେଶ ପୂଜାରୀ ଗୋ ବ୍ୟାକ୍” ଏବଂ “ଟଙ୍କଧର ତ୍ରିପାଠୀ ଜିନ୍ଦାବାଦ” ସ୍ଲୋଗାନ ଦେଇ ପରିବେଶକୁ ସରଗରମ କରିଥିଲେ।

ଅସନ୍ତୁଷ୍ଟ କର୍ମୀମାନଙ୍କ ଅଭିଯୋଗ ଥିଲା, ମନ୍ତ୍ରୀ ତାଙ୍କ ଗସ୍ତ ସମ୍ପର୍କରେ ସ୍ଥାନୀୟ ସଂଗଠନ କିମ୍ବା କର୍ମୀଙ୍କୁ ପୂର୍ବରୁ ସୂଚନା ଦେଇ ନ ଥିଲେ। ଯଦି ସେ ପୂର୍ବରୁ ଜଣାଇଥାନ୍ତେ, ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥାନ୍ତା। ସ୍ଥାନୀୟ ସଂଗଠନକୁ ଅଣଦେଖା କରି ସିଧାସଳଖ ଆସିଥିବାରୁ ସେମାନେ ବିରୋଧ କରୁଥିବା କହିଥିଲେ।

ଘଟଣାସ୍ଥଳରେ ମନ୍ତ୍ରୀ ସୁରେଶ ପୂଜାରୀ କର୍ମୀମାନଙ୍କୁ ବୁଝାଇବାକୁ ଚେଷ୍ଟା କରି କହିଥିଲେ ଯେ, ସେ କୌଣସି ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିନାହାନ୍ତି, ବରଂ ବ୍ୟକ୍ତିଗତ ଭାବେ ମା’ ସମଲେଇଙ୍କ ଦର୍ଶନ ପାଇଁ ଆସିଛନ୍ତି। ମନ୍ଦିର ଦର୍ଶନକୁ ଯାଉଥିବା ବେଳେ କାହାକୁ ଅଟକାଇବା ଉଚିତ ନୁହେଁ ବୋଲି ସେ କହିବା ସହ ଆଗାମୀ ଦିନରେ ଆସିବା ପୂର୍ବରୁ ସମସ୍ତଙ୍କୁ ନିଶ୍ଚିତ ସୂଚନା ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ତେବେ ଉତ୍ତେଜିତ କର୍ମୀମାନେ ମନ୍ତ୍ରୀଙ୍କ କଥା ନଶୁଣି ତାଙ୍କ ଗାଡ଼ି ଆଗରେ ଶୋଇପଡ଼ି ବିରୋଧ ଜାରି ରଖିଥିଲେ। ଖବର ପାଇ ବଡ଼ମାଳ ଥାନା ଆଇଆଇସି ଦିଲୀପ ବେହେରା ପୋଲିସ ବାହିନୀ ସହ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଥିଲେ। ତଥାପି କର୍ମୀମାନେ ସେଠାରୁ ହଟିନଥିଲେ।

ଶେଷରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ମନ୍ତ୍ରୀ ସୁରେଶ ପୂଜାରୀ ମନ୍ଦିର ଦର୍ଶନ ନ କରି ସେଠାରୁ ଫେରିଯାଇଥିଲେ ଏବଂ ସିଧାସଳଖ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଥିଲେ।

ଜିଲାର ଦୁଇ ପ୍ରଭାବଶାଳୀ ଭାଜପା ନେତାଙ୍କ ମଧ୍ୟରେ ଚାଲିଥିବା ଏହି ଆଭ୍ୟନ୍ତରୀଣ ମତଭେଦ ଏବେ ଖୋଲାଖୋଲି ସାମ୍ନାକୁ ଆସିଥିବା ବେଳେ ଏହାକୁ ନେଇ ଜିଲାରାଜନୀତି ସରଗରମ ହୋଇଉଠିଛି। ତେବେ ଉଭୟ ନେତାଙ୍କ ମଧ୍ୟରେ ଗୋଷ୍ଠୀ କନ୍ଦଳ ରହିଥିବା ଦାବି ଓ ଏହାର ରାଜନୈତିକ ପ୍ରଭାବ ସମ୍ପର୍କରେ ବିଭିନ୍ନ ମହଳରେ ଆଲୋଚନା ହେଉଥିବା ବେଳେ, ଏହି ପ୍ରସଙ୍ଗରେ ସମ୍ପୃକ୍ତ ସମସ୍ତ ପକ୍ଷଙ୍କ ମତାମତ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ରହିବ।

 

Dharitri – Odisha’s No.1 Odia Daily

Share