Categories: ଜାତୀୟ

ନୂଆ ସହଯୋଗୀଙ୍କ ହାତ ଧରିଲା ଭାଜପା

ଗୁଆହାଟୀ, ୧୪।୧୨(ପି.ଟି.): ଆସାମ ବୋଡୋଲ୍ୟାଣ୍ଡ ଟେରିଟୋରିଆଲ୍‌ କାଉନ୍‌ସିଲ୍‌ (ବିଟିସି)କୁ ନିଜ ଅକ୍ତିଆରରେ ରଖିବା ଲାଗି ଭାଜପା ଏହାର ସହଯୋଗୀ ଦଳ ବିପିଏଫ୍‌କୁ ଛାଡ଼ି ଅନ୍ୟ ଏକ ଦଳର ହାତ ଧରିଛି। ବୋଡୋ ଅଧ୍ୟୁଷିତ ଅଞ୍ଚଳର ସ୍ବୟଂଶାସନ ସଂସ୍ଥା ବିଟିସିର ୪୦ ଆସନ ମଧ୍ୟରୁ ଆସାମର ସର୍ବାନନ୍ଦ ସୋନୋଓ୍ବାଲ ସରକାରରେ ସହଯୋଗୀ ଥିବା ବିପିଏଫ୍‌କୁ ୧୭ ଆସନ ମିଳିଛି। ଅନ୍ୟପକ୍ଷରେ ମେଣ୍ଟ ପାଇଁ ଉକ୍ତ ଦଳର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ଭାଜପା ୟୁନାଇଟେଡ୍‌ ପିପୁଲ୍ସ ପାର୍ଟି ଲିବେରାଲ୍‌ (ୟୁପିପିଏଲ୍‌)କୁ ନୂଆ ସହଯୋଗୀ ଭାବେ ନେଇଛି। ଏହି ଦଳ ୧୨ ଆସନ ଜିତିଥିବାବେଳେ ଭାଜପାକୁ ୯ ଏବଂ କଂଗ୍ରେସ ଓ ଗଣସୁରକ୍ଷା ପାର୍ଟିକୁ ଗୋଟିଏ ଲେଖାଏ ଆସନ ମିଳିଛି। ବରିଷ୍ଠ ଭାଜପା ନେତା ତଥା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ୟୁପିପିଏଲ୍‌କୁ ଅଭିନନ୍ଦନ ଜଣାଇବା ସହ ସହଯୋଗୀ ଦଳ ବୋଲି ଟୁଇଟ୍‌ କରିଛନ୍ତି। ୟୁପିପିଏଲ୍‌ ମୁଖ୍ୟ ପ୍ରମୋଦ ବୋରୋ ବିଟିସିର ନୂତନ ମୁଖ୍ୟ କାର୍ଯ୍ୟନିର୍ବାହୀ ସଦସ୍ୟ (ସିଇଏମ୍‌) ହେବେ ବୋଲି ମୁଖ୍ୟମନ୍ତ୍ରୀ ସୋନୋଓ୍ବାଲ ଘୋଷଣା କରିଛନ୍ତି।

କ୍ୟାବିନେଟ ବୈଠକରେ ଯୋଗଦେଲେନି ବିପିଏଫ୍‌ ମନ୍ତ୍ରୀ

ଭାଜପା ବୋଡୋଲ୍ୟାଣ୍ଡ ପିପୁଲ୍ସ ଫ୍ରଣ୍ଟ (ବିପିଏଫ୍‌) ହାତ ଛାଡ଼ି ନୂଆ ସହଯୋଗୀ ଭାବେ ୟୁପିପିଏଲ୍‌କୁ ବାଛିବାରୁ ଏଥିରେ କ୍ଷୁବ୍ଧ ୩ ବିପିଏଫ୍‌ ମନ୍ତ୍ରୀ ରବିବାର ଆସାମ କ୍ୟାବିନେଟ ବୈଠକରେ ଯୋଗଦେଇନାହାନ୍ତି। ସେମାନେ କୌଣସି ସୂଚନା ନ ଦେଇ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକରୁ ଅନୁପସ୍ଥିତ ରହିଥିଲେ। ଭାଜପା ନେତୃତ୍ୱାଧୀନ ଆସାମ ସରକାରରେ ବିପିଏଫ୍‌ରୁ ୩ ଜଣ ମନ୍ତ୍ରୀ ଅଛନ୍ତି। ସେମାନେ ହେଲେ ପ୍ରମିଳାରାଣୀ ବ୍ରହ୍ମା, ଚନ୍ଦନ ବ୍ରହ୍ମା ଓ ରାହୋନ ଡାଇମାରି। ସେମାନେ କ’ଣ ପାଇଁ ବୈଠକରେ ଯୋଗଦେଲେନି ତାହା ଜଣାନାହିଁ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ଚନ୍ଦ୍ରମୋହନ ପଟୋଓ୍ବାରି କହିଛନ୍ତି।

Share