Categories: ଜାତୀୟ

୪ ବିଧାୟକଙ୍କୁ ଭାଜପା ଦେଇଛି ୨୦ କୋଟି ଟଙ୍କା ଲେଖାଏଁ ଅଫର, ଏଏପି ଆଣିଲା ଅଭିଯୋଗ…

ନୂଆଦିଲ୍ଲୀ, ୨୪।୮ : ଦିଲ୍ଲୀର ମଦ ନୀତିକୁ ନେଇ ରାଜନୈତିକସ୍ତରରେ ଜାରି ରହିଥିବା ଆରୋପ ପ୍ରତ୍ୟାରୋପ ମଧ୍ୟରେ ବୁଧବାର ଆମ ଆଦମୀ ପାର୍ଟି(ଏଏପି) ଏକ ଗଣମାଧ୍ୟମ ସମ୍ମିଳନୀ କରିଛି। ଏଏପିର ଏମ୍‌ପି ସଞ୍ଜୟ ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଏହା ସହିତ ସେ କେନ୍ଦ୍ର ସରକାରଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ମୋଦି ସରକାରଙ୍କ ଏହି ହୀନ ଉଦ୍ଦେଶ୍ୟର ପର୍ଦ୍ଦାଫାଶ୍‌ ହୋଇଛି।

ଭାଜପା ଏଏପି ବିଧାୟକଙ୍କୁ ନିଜ ପଟକୁ ନେବାକୁ ୨୦ କୋଟି ଟଙ୍କାର ଅଫର ଦେଇଛି। ମାତ୍ର ସେମାନେ ଅରବିନ୍ଦ କେଜରିୱାଲଙ୍କ ସୈନିକ, ସେମାନେ ଭାଜପା ସାମ୍ନାରେ ଏଭଳି ବିକ୍ରି ହେବେ ନାହିଁ। ସଞ୍ଜୟ ସିଂ ଦାବି କରିଛନ୍ତି ଯେ ଭାଜପା ଏଏପିର ଚାରିଜଣ ବିଧାୟକ ସଞ୍ଜିବ ଝା ଏବଂ ସୋମନାଥ ଭାରତୀ, ଅଜୟ ଦତ୍ତ ଏବଂ କୁଲଦୀପ କୁମାରଙ୍କୁ ନିଜ ଆଡ଼କୁ ନେବାକୁ ଚେଷ୍ଟା କରିଛି ଏବଂ ସେମାନଙ୍କୁ ୨୦ କୋଟି ଟଙ୍କା ଲେଖାଏଁ ଅଫର ଦେଇଛି। କିନ୍ତୁ ଦିଲ୍ଲୀରେ ଏହାର ଉଦ୍ଦେଶ୍ୟରେ ଭାଜପା ସଫଳ ହେବ ନାହିଁ। ଫଳରେ ପୁଣିଥରେ ଭାଜପାର ଅପରେଶନ ଲୋଟସ ଫେଲ୍‌ ହୋଇଛି।

 

ଏହାପୂର୍ବରୁ ମଙ୍ଗଳବାର ଆମ ଆଦମୀ ପାର୍ଟି ମୁଖପାତ୍ର ସୌରଭ ଭରଦ୍ୱାଜ କହିଥିଲେ ଯେ ଦ୍ୱିତୀୟ ଥର ପାଇଁ ବିଜେପିର ଅପରେଶନ ଲୋଟସ ବିଫଳ ହୋଇଛି। ୨୦୧୪ ପରେ ଏବେ ୨୦୨୨ରେ ଭାଜପାର ଅପରେଶନ ଲୋଟସ କାମ କରିନାହିଁ। ୨୦୧୪ରେ, ବିଜେପି ଏଏପି ବିଧାୟକଙ୍କୁ ୫ କୋଟି ଟଙ୍କା ଲେଖାଏଁ ଅଫର ଦେଇଥିଲା। ବର୍ତ୍ତମାନ ଦଳରେ ଯୋଗଦେବା ପାଇଁ ଭାଜପା ମନୀଷ ସିସୋଡିଆଙ୍କୁ ଅଫର ଦେଇଛି।

ସୌରଭ ଭରଦ୍ୱାଜ ଅଭିଯୋଗ କରିଛନ୍ତି ଯେ ଅପରେଶନ ଲୋଟସ ଭାଜପା ମୁଖ୍ୟାଳୟରୁ ଆରମ୍ଭ ହୋଇଥାଏ। ଯେଉଁ ରାଜ୍ୟରେ ଭାଜପା ପରାଜିତ ହୁଏ ସେଠାରେ ଅନ୍ୟ ଦଳର ବିଧାୟକ କିଣି ସରକାର ଗଠନ କରେ ବୋଲି ସେ ଅଭିଯୋଗ କରିଛନ୍ତି।

Share