ପୁରୁଷୋତ୍ତମପୁର,୧୩।୬(ସବିତା ମିଶ୍ର): ଭାରତୀୟ ଜନତାପାର୍ଟି ଗଞ୍ଜାମ ଜିଲାରେ ଦଳକୁ ଶକ୍ତିଶାଳୀ କରିବା ସହ ସଂଗଠନକୁ ଆଗେଇନେବା ଲାଗି ପୁରୁଷୋତ୍ତମପୁର ଦୁଇ ଯୁବନେତାଙ୍କୁ ଗୁରୁଦାଇତ୍ବ ଦେଇଛି। ବଡଖରିଡା ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ରମେଶ ଚନ୍ଦ୍ର ଦଳେଇଙ୍କୁ ଦଳ ପୂର୍ବରୁ ପୁରୁଷୋତ୍ତମପୁର ଏନଏସିର ପ୍ରଭାରି ଭାବରେ ନିଯୁକ୍ତି ଦେଇଥିଲେ, ଯାହାକି ତାଙ୍କର କାର୍ୟଯଦକ୍ଷତା ଓ ସାଂଗଠନିକ ସ୍ଥିତି ସହ ଦଳକୁ ଦିନକୁ ଦିନ ଆଗେଇ ନେବାରେ ଲାଗିଥିବାର କାର୍ଯ୍ୟ ଶୈଳୀକୁ ନେଇ ଦଳ ପକ୍ଷରୁ ପୁଣି ଆଉ ଏକ ନୂଆ ଦାୟିତ୍ୱ ଭାବେ ଜିଲା କୃଷକ ମୋର୍ଚ୍ଚାର ଉପସଭାପତି ରୁପେ ନିଯୁକ୍ତି ଦେଇ ଦାୟିତ୍ୱ ପ୍ରଦାନ କରାଯାଇଛି ।
ସେହିପରି ପୁରୁଷୋତ୍ତମପୁର ଏନଏସିର ଯୁବନେତା ଦେବାଶିଷ ମହାନ୍ତିଙ୍କୁ ଜିଲା ଯୁବମୋର୍ଚ୍ଚାର ସାଧାରଣ ସଂପାଦକ ରୂପେ ନିଯୁକ୍ତି ଦେଇଛନ୍ତି। ଏହାକୁ ନେଇ ମହାନ୍ତି ପ୍ରତିକ୍ରିୟାରେ କହିଛନ୍ତି ଯେ, ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଯେଉଁ ଗୁରୁଦାୟିତ୍ୱ ଦେଇଛନ୍ତି ତାହାକୁ ସୁଚାରୁରୁପେ ତୁଲାଇବା ସହ ଯୁବଗୋଷ୍ଠୀଙ୍କୁ ନେଇ ସଂଗଠନକୁ ମଜଭୁତ କରିବାସହ ଆଗାମୀ ପୌର ନିର୍ବାଚନ ଓ ପଞ୍ଚାୟତ ନିର୍ବାଚନରେ ଯେପରି ଜିଲାରେ ସମସ୍ତ ଏନଏସି, ପୌର ପରିଷଦ,ପଞ୍ଚାୟତ ଓ ବ୍ଲକକୁ ଭାଜପା ଏକାକୀ ଭାବରେ ଦଖଲ କରିବ ତାହା ମଧ୍ୟ ଲକ୍ଷ୍ୟ ରହିଛି ବୋଲି କହିଛନ୍ତି। ଏହି ନିଯୁକ୍ତିକୁ ନେଇ ଦୁଇ ଯୁବନେତୃତ୍ୱଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିବାରେ ଲାଗିଛି।