Categories: ଜାତୀୟ

ଏ. ରାଜାଙ୍କ ମନ୍ତବ୍ୟକୁ ନେଇ ଥାନାରେ ପହଞ୍ଚିଲା ମାମଲା

ଚେନ୍ନାଇ,୧୪।୯: ଡିଏମ୍‌କେ ନେତା ଏ. ରାଜା ଶୂଦ୍ର ସମ୍ପର୍କରେ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ଦେଖାଦେଇଛି। ଆପଣ ହିନ୍ଦୁ ଥିବାଯାଏ ଶୂଦ୍ର ବୋଲି ଡିଏମ୍‌କେ ଏମ୍‌ପି କହିବା ପରେ ଭାଜପା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଅନ୍ୟମାନଙ୍କୁ ସନ୍ତୁଷ୍ଟ କରିବା ଲାଗି ସେ ଏକ ସମ୍ପ୍ରଦାୟ ବିରୋଧରେ ଘୃଣାର ପ୍ରସାର କରୁଥିବା ଗୈରିକ ଦଳ ଅଭିଯୋଗ କରିଛି। ଏନେଇ ଭାଜପା ରାଜ୍ୟ ଉପାଧ୍ୟକ୍ଷ କାରୁ ନାଗରାଜନ ଥାନାରେ ଏକ ଅଭିଯୋଗ ଦାଖଲ କରିଛନ୍ତି। ଏଥିରେ ହିନ୍ଦୁ ଧାର୍ମିକ ବିଶ୍ୱାସକୁ ଧ୍ୱଂସ କରିବା ଏବଂ ଗୁଜବ ପ୍ରଚାର କରି ତାମିଲନାଡୁରେ ଧାର୍ମିକ ହିଂସା ସୃଷ୍ଟି କରିବା ଭଳି ସଙ୍ଗିନ ଅଭିଯୋଗ କରିଛନ୍ତି। ଏପରି କି ଘଟଣାର ତଦନ୍ତ କରି ରାଜାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଏ. ରାଜାଙ୍କ କହିବା ଅନୁଯାୟୀ, ମନୁସ୍ମୃତିରେ ଶୂଦ୍ରଙ୍କୁ ଅପମାନିତ କରାଯାଇଛି। ସେମାନଙ୍କୁ ସମାନତା, ଶିକ୍ଷା, ନିଯୁକ୍ତି ଓ ମନ୍ଦିର ପ୍ରବେଶରୁ ବଞ୍ଚତ୍ତ କରାଯାଇଛି। ଆପଣ ହିନ୍ଦୁ ଥିବାଯାଏ ଶୂଦ୍ର ଏବଂ ଶୂଦ୍ର ଥିବାଯାଏ ଗଣିକାର ପୁଅ। ହିନ୍ଦୁ ଥିତ୍ବାଯାଏ ତୁମେ ଦଳିତ ଓ ଅସ୍ପୃଶ୍ୟ ବୋଲି ରାଜା ଏକ ସଭାରେ ଉଦ୍‌ବୋଧନ ଦେବାବେଳେ କହିଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ରାଜା ବିଭିନ୍ନ ସମୟରେ ମହିଳା ଓ ହିନ୍ଦୁମାନଙ୍କୁ ଅପମାନିତ କରୁଥିବା ଭାଜପା ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷା ବନଥି ଶ୍ରୀନିବାସନ କହିଛନ୍ତି।

Share