Categories: ଜାତୀୟ

ସିଦ୍ଧୁଙ୍କ ବିପକ୍ଷରେ ଲଢିବେ ଅବସରପ୍ରାପ୍ତ ଆଇଏଏସ୍‌

ଚଣ୍ଡିଗଡ଼,୨୮ ।୧: ପଞ୍ଜାବ ବିଧାନସଭା ନିର୍ବାଚନର ତାରିଖ ପାଖେଇ ଆସୁଥିବା ବେଳେ ବେଳକୁ ବେଳ ସେଠାକାର ରାଜନୀତି ହେଉଛି ସରଗରମ । ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା) ତା’ର ତୃତୀୟ ପ୍ରାର୍ଥୀ ତାଲିକା ଜାରି କରିଛି । ତୃତୀୟ ତାଲିକାରେ ରହିଛି ମାତ୍ର ୩ ପ୍ରାର୍ଥୀଙ୍କ ନାମ । ଗୋଟିଏ ଦିନରେ ଭାଜପା ପକ୍ଷରୁ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯିବାକୁ ନେଇ ଏବେ ଚର୍ଚ୍ଚା ଚାଲିଛି । ଦ୍ୱିତୀୟ ତାଲିକାରେ ୨୭ ଜଣଙ୍କ ନାମ ଥିବା ବେଳେ ତୃତୀୟରେ କେବଳ ଅମୃତସର ସେଣ୍ଟ୍ରାଲ, ଅମୃତସର ପୂର୍ବ ଓ ବାବା ବକାଲା ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି ।
ଭାଜପା ପକ୍ଷରୁ ଅମୃତସର ସେଣ୍ଟ୍ରାଲରୁ ଡା. ରାମ ଚାୱଲା, ଅମୃତସର ପୂର୍ବରୁ ଡା. ଜଗମୋହନ ସିଂହ ରାଜୁ(ଆଇଏଏସ୍‌)ଙ୍କୁ ଟିକେଟ ଦିଆଯାଇଛି । ସୂଚନାଯୋଗ୍ୟ, ଅମୃତସର ପୂର୍ବରୁ କଂଗ୍ରେସର ପ୍ରଦେଶ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ ନିର୍ବାଚନ ଲଢୁଛନ୍ତି । ତାମିଲନାଡୁ ସରକାରରେ ଚିଫ୍ ରେସିଡେଣ୍ଟ କମିଶନର ପଦରେ ଥିବା ଡା. ଜଗମୋହନ ସିଂହ ରାଜୁ ୨୫ ଜାନୁୟାରୀରେ ସ୍ୱଇଚ୍ଛାରେ ଅବସର ନେଇଛନ୍ତି । ଏହାପରେ ସେ ରାଜନୀତିରେ ପ୍ରବେଶ କରିଛନ୍ତି । ସେହିପରି ଭାଜପା ବାବା ବକାଲାରୁ ସରଦାର ମଜିତ ସିଂ ମନ୍ନାଙ୍କୁ ଟିକେଟ ଦେଇଛି ।
ଏବେ ଅମୃତସର ପୂର୍ବ ଏକ ହାଇ ପ୍ରୋଫାଇଲ ଆସନ ହୋଇଯାଇଛି । ଭାଜପା ପକ୍ଷରୁ ଜଣେ ଅବସରପ୍ରାପ୍ତ ଆଇଏଏସ୍ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସର ପ୍ରଦେଶ ଅଧ୍ୟକ୍ଷ ଏଠାରେ ନିର୍ବାଚନ ଲଢୁଛନ୍ତି । ସେହିପରି ଅକାଳି ଦଳ ଗୋଟିଏ ଦିନ ପୂର୍ବରୁ ଏଠାରୁ ବିକ୍ରମ ସିଂ ମାଜିଠିଆଙ୍କ ନାମ ଘୋଷଣା କରି ସାରିଛି ।

Share