Categories: ଜାତୀୟ

ବିଧାନସଭାରେ ଭାଜପା-ସିପିଆଇ ବିଧାୟକ ମୁହାଁମୁହିଁ,ସ୍ଥିତି ସମ୍ଭାଳିଲେ ମାର୍ଶଲ…

ପାଟନା,୧୪।୩ : ମଙ୍ଗଳବାର ଦିନ ବିହାର ବିଧାନସଭାରେ ପ୍ରଶ୍ନ କାଳ ସମୟରେ ଭାଜପା ଏବଂ ସିପିଆଇ (ଏମଏଲ) ବିଧାୟକଙ୍କ ମଧ୍ୟରେ ଝଗଡା ହୋଇଥିଲା। ଉଭୟ ପକ୍ଷରୁ ବହୁ ଉତ୍ତେଜନା ଦେଖାଦେଇଥିଲା। ବିଧାୟକମାନେ ବାଚସ୍ପତିଙ୍କ ଆସନଠାରୁ ପରସ୍ପରର ଆସନ ଆଡକୁ ମାଡି ଆସିବା ଆରମ୍ଭ କରିଥିଲେ। ବିଧାନସଭାର ବାଚସ୍ପତି ସୁରକ୍ଷା ପାଇଁ ମାର୍ଶଲମାନଙ୍କୁ ଡାକିଥିଲେ।

ଅଧା ଡଜନରୁ ଅଧିକ ମାର୍ଶଲ ଏକ କର୍ଡନ କରି ଉଭୟ ଦଳର କ୍ରୋଧିତ ବିଧାୟକଙ୍କୁ ଅଟକାଇଥିଲେ। ଏହାପୂର୍ବରୁ ଭାଜପା ବିଧାୟକ ଲକ୍ଷେନ୍ଦ୍ର କୁମାର ରୋଶନ ତାଙ୍କ ମାଇକ ଭାଙ୍ଗି ଦେଇଥିଲେ। ଏହି ଉତ୍ତେଜନା ମଧ୍ୟରେ ବାଚସ୍ପତି ପ୍ରଶ୍ନ କାଳ ଅଧାରୁୁ ବନ୍ଦ କରିଦେଇଥିଲେ ଏବଂ ମଧ୍ୟାହ୍ନ ଭୋଜନ ବିରତି ପର୍ଯ୍ୟନ୍ତ ଗୃହର ପ୍ରକ୍ରିୟା ସ୍ଥଗିତ ରଖାଯାଇଥିଲା।
ଭାଜପାର ପାଟପୁର ବିଧାୟକ ଲକ୍ଷେନ୍ଦ୍ର କୁମାର ରୋଶନ ଏକ ତାରକା ପ୍ରଶ୍ନ ମାଧ୍ୟମରେ ଅଙ୍ଗନୱାଡି କର୍ମୀ ଏବଂ ସହାୟକଙ୍କ ସମ୍ମାନ ବୃଦ୍ଧି ସହ ଜଡିତ ପ୍ରଶ୍ନ ଉଠାଇଥିଲେ। ସାମାଜିକ କଲ୍ୟାଣ ମନ୍ତ୍ରୀ ମଧ୍ୟ ଏହାର ଉତ୍ତର ଦେଇଥିଲେ। ଏହି ସମୟରେ ସେ ସପ୍ଲିମେଣ୍ଟାରୀ ପ୍ରଶ୍ନ ପଚାରିବା ଆରମ୍ଭ କରିଥିଲେ। ତିନୋଟି ସପ୍ଲିମେଣ୍ଟାରୀ ପ୍ରଶ୍ନ ପରେ ବିଧାନସଭା ବାଚସ୍ପତି ଆୱଧ ବିହାରୀ ଚୌଧୁରୀ ତାଙ୍କୁ ଅଟକାଇଥିଲେ।

ଫଳରେ କ୍ରୋଧରେ ଲକ୍ଷେନ୍ଦ୍ର ନିଜର ମାଇକ ଭାଙ୍ଗି ଦେଇଥିଲେ। ଏହା ଉପରେ ସିପିଆଇ (ଏମଏଲ) ର ସତ୍ୟଦେବ ରାମ ବାଚସ୍ପତିଙ୍କୁ ଇଶାରା କରି ସୂଚାଇ କହିଥିଲେ ଯେ ମାଇକକୁ ଜାଣିଶୁଣି ଭଙ୍ଗା ଯାଇଛି। ଏହା ଉପରେ ସିପିଆଇ (ଏମଏଲ) ଏବଂ ଭାଜପା ବିଧାୟକଙ୍କ ମଧ୍ୟରେ ମାରପିଟ୍‌ ଭଳି ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା। ଉଭୟ ପକ୍ଷ ଓ୍ବେଲରେ ପହଞ୍ଚି ପରସ୍ପର ଆଡକୁ ଆଙ୍ଗୁଳି ନିର୍ଦ୍ଦେଶ କରି ମାଡି ଆସିଥିଲେ।

ଉଭୟ ପକ୍ଷ ମଧ୍ୟ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି। ଯଦି ମାର୍ଶାଲମାନେ ପରିସ୍ଥିତିକୁ ନିୟନ୍ତ୍ରଣ କରି ନ ଥାନ୍ତେ, ତେବେ ଏକ ଅଘଟଣ ଘଟିଥାନ୍ତା। କଂଗ୍ରେସର ଶକିଲ ଅହମ୍ମଦ ଖାନ ଓ୍ବେଲକୁ ଆସି ଉଭୟ ପକ୍ଷଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ। ଆରଜେଡିର ଭାଇ ବିରେନ୍ଦ୍ର ସତ୍ୟଦେବ ରାମ ଏବଂ ଅନ୍ୟାନ୍ୟ ସିପିଆଇ (ଏମଏଲ) ବିଧାୟକମାନଙ୍କୁ ସମ୍ଭାଳିଥିଲେ।

ଭାଜପା ବିଧାୟକ ଲକ୍ଷେନ୍ଦ୍ର କହିଛନ୍ତି ଯେ ମାଇକ ପୂର୍ବରୁ ଖୋଲା ଥିଲା। ସେ ଏହାକୁ ଛୁଇଁବା ମାତ୍ରେ ଏହା ଖସି ପଡ଼ିଥିଲା। ଅନ୍ୟପକ୍ଷରେ ବିରୋଧୀ ଦଳର ନେତା ବିଜୟ କୁମାର ସିହ୍ନା ଅଭିଯୋଗ କରିଛନ୍ତି ଯେ ଶାସକ ଦଳର ବିଧାୟକ ଭାଜପାର ଦଲିତ ବିଧାୟକଙ୍କୁ ଦୁର୍ବ୍ୟବହାର କରିଛନ୍ତି।

Share