ଭଞ୍ଜନଗର,୧୯।୫(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ମଙ୍ଗଳପୁରରେ ଘୁମୁସର ତାଲୁକା ବାଣାୟତ ଓଡିଆ ସମାଜର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଛି। ଏଥିରେ ଭାଜପା, କଂଗ୍ରେସ, ବିଜେଡିର ରାଜ୍ୟସ୍ତରୀୟ ନେତା ଏବଂ ମନ୍ତ୍ରୀମାନେ ଅତିଥି ଭାବେ ଯୋଗ ଦେଇଥିଲେ। ସଭାରେ ପ୍ରମୁଖ ରାଜନୈତିକ ଦଳର ନେତାମାନେ ଏକାଠି ହେବାକୁ ନେଇ ବିଭିନ୍ନ ଆଲୋଚନା ହେଉଛି। ଭାଜପାର ଦୁଇ ମନ୍ତ୍ରୀ ଏବଂ ଭାଜପାର ଜଣେ ବିଧାୟକ କାର୍ଯ୍ୟ ବ୍ୟସ୍ତତା ଯୋଗୁ ଶୋଭାଯାତ୍ରା ସରିବା ପରେ କିଛି ସମୟ ରହି ଚାଲିଯାଇଥିବା ବେଳେ ରାଜ୍ୟର ଜଣାଶୁଣା କଂଗ୍ରେସ ବିଧାୟକ ରମେଶ ଚନ୍ଦ୍ର ଜେନା ଏବଂ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ଶ୍ରୀକାନ୍ତ ସାହୁ ସଭା ଶେଷ ପର୍ଯ୍ୟନ୍ତ ରହିଥିଲେ। ଦୀର୍ଘ ସମୟ ଧରି ଉକ୍ତ ଦୁଇ ନେତା ଏକାଠି ମଞ୍ଚରେ ବସି ମଝିରେ ମଝିରେ କିଛି ଆଲୋଚନା କରୁଥିଲେ। ତେଣୁ ଆଗାମୀ ଦିନରେ ଗଞ୍ଜାମ ରାଜନୀତିରେ କିଛି ପରିବର୍ତ୍ତନ ହେବା ଆଶଙ୍କାକୁ ମଧ୍ୟ ଏଡାଇ ଦିଆଯାଇ ପାରୁନାହିଁ ବୋଲି ଲୋକେ ଆଲୋଚନା କରୁଛନ୍ତି।
ଅପରପକ୍ଷେ କୂଳର ଜଣେ କର୍ମକର୍ତ୍ତା ଏଠାରେ କହିଛନ୍ତିଯେ ଅତିଥି ମାନେ କୂଳର ନିମନ୍ତ୍ରଣ ରକ୍ଷା କରି ଆସିଥିଲେ।
ସଭାରେ ଘୁମୁସର ତାଲୁକା ବାଣାୟତ ଓଡିଆ ସମାଜ ସଭାପତି ଭବାନୀ ଶଙ୍କର ମଳିକ ଅଧ୍ୟକ୍ଷତା କରିଥିଲେ। ସମ୍ପାଦକ ବାଇନାଥ ପ୍ରଧାନ ବିବରଣୀ ପାଠ କରିଥିଲେ। ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଳିକ, ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା, ସୋରଡା ବିଧାୟକ ନୀଳମଣି ବିଷୋୟୀ, ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ପୂର୍ବତନ ରାଜ୍ୟ ସଭାପତି ସନ୍ତୋଷ କୁମାର ନାୟକ, ରାଜ୍ୟ ସଭାପତି ଗନ୍ଧର୍ବ ପ୍ରଧାନ, ଜିଲା ସଭାପତି ପ୍ରଫୁଲ୍ଲ ଚନ୍ଦ୍ର ସାହୁ, ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ ପ୍ରଧାନ, ବିପ୍ର ଚରଣ ବାରିକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ସଭାରେ ନାରୀ ଶିକ୍ଷା, ଛାତ୍ରୀଛାତ୍ରଙ୍କ ଉନ୍ନତି, ମଙ୍ଗଳପୁରରେ ଥିବା କୂଳର ୯ ଏକରରୁ ଉଦ୍ଧର୍ବ ଜମିର ବିକାଶ କିଭଳି ହେବ ପ୍ରମୁଖ ବିଷୟରେ ଆଲୋଚନା ହୋଇଥିଲା। ଉପସଭାପତି ସୁଧାଂଶୁ ଶେଖର ପୋଲାଇ, ଗୋପବନ୍ଧୁ ଡାଙ୍ଗୁଆ, ସନ୍ତୋଷ ମଲ୍ଲ, କୃଷ୍ଠ ଚନ୍ଦ୍ର ସାଇଁ, ମାଧବ ଅପଟ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ।

