Categories: ଜାତୀୟ

‘ନୀତୀଶ କୁମାରଙ୍କୁ ଧୋକା ଦେଇଛି ଭାଜପା’

ପାଟନା,୧୦।୮: ବିହାରରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ପରେ ଜେଡିୟୁ ଜାତୀୟ ସଭାପତି ଲଲାନ ସିଂ ଭାଜପାକୁ କଡ଼ ଟାର୍ଗେଟ୍‌ କରିଛନ୍ତି। ଭାଜପା ନୀତୀଶ କୁମାରଙ୍କ ପ୍ରତି ବିଶ୍ୱାସଘାତକତା କରିଛି ବୋଲି ସେ ଅଭିଯୋଗ କରିଛନ୍ତି। ନୀତୀଶ କୁମାର ପୂର୍ବରୁ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁ ନ ଥିଲେ କିନ୍ତୁ ତାଙ୍କୁ ଜବରଦସ୍ତ ମୁଖ୍ୟମନ୍ତ୍ରୀ କରାଗଲା। ନୀତୀଶ କୁମାର ଅନ୍ଧ ଭାବେ ଭାଜପା ଉପରେ ବିଶ୍ୱାସ କରୁଥିଲେ କିନ୍ତୁ ଭାଜପା ତାଙ୍କ ପିଠିରେ ଛୁରାଘାତ କରିଛି। ୨୦୨୦ ନିର୍ବାଚନରେ ଆମର କାର୍ଯ୍ୟକର୍ତ୍ତାମାନେ ଭାଜପାକୁ ବିଜୟ ଦେଇଥିଲେ। କିନ୍ତୁ ସେମାନଙ୍କ କାର୍ଯ୍ୟକର୍ତ୍ତା ଆମକୁ ପରାସ୍ତ କରିବାକୁ କାର୍ଯ୍ୟ କରିଥିଲେ। ଏହି କାରଣରୁ ଆମେ ଏନଡିଏରେ ରହିବୁ ନାହିଁ ବୋଲି ନିଷ୍ପତ୍ତି ନେଇଥିଳୁ ବୋଲି ସେ କହିଛନ୍ତି।
ଲଲାନ ସିଂ ଆହୁରି ମଧ୍ୟ କହିଛନ୍ତି, ବହୁ ଭାଜପା ନେତା ଜନମତ ସହ ଖେଳାଯାଇଛି ବୋଲି ମନ୍ତବ୍ୟ ଦେଉଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ବିଶ୍ୱାସଘାତକ ନୁହେଁ। ଜେଡିୟୁ ଅରୁଣାଚଳ ପ୍ରଦେଶରେ ୭ଟି ଆସନ ଜିତିଥିଲା। ଆମର ୬ ଜଣ ବିଧାୟକଙ୍କୁ ନିଜ ଦଳରେ ସାମିଲ କରିନେଇଥିଲେ। ୨୦୧୯ରେ ଭାଜପା ଆବଶ୍ୟକ କରୁଥିଲା ତେଣୁ କୌଣସି ବିଶୃଙ୍ଖଳା ହେଲା ନାହିଁ। ୨୦୨୦ ଭାଜପା ଜେଡିୟୁର ଏକମାତ୍ର ବିଧାୟକଙ୍କୁ ମଧ୍ୟ ନିଜ ଦଳରେ ସାମିଲ କରି ଷଡଯନ୍ତ୍ର ରଚିଲା।
ସୂଚନାଯୋଗ୍ୟ, ସୂଚନାଯୋଗ୍ୟ, ବିହାରରେ ୨୦୧୭ରେ ଭାଜପା ସମର୍ଥନରେ ଜେଡିୟୁ ସରକାର ଗଢ଼ିବା ପରଠାରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଭାଜପା ନେତା କ୍ରମାଗତ ଭାବେ ପରସ୍ପରକୁ କଟାକ୍ଷ କରିଆସୁଥିଲେ। କିନ୍ତୁ ଗତ କିଛିଦିନ ହେଲା ତାହା ଚରମ ସ୍ଥିତିରେ ପହଞ୍ଚତ୍ ଥିବାବେଳେ ରାଜ୍ୟରେ ଏନ୍‌ଡିଏ ମେଣ୍ଟ ଭାଙ୍ଗି ଯାଇଥିଲା। ଜେଡିୟୁର ଅଭିଯୋଗ ଥିଲା ଦଳ ଭିତରେ ନୀତିଶଙ୍କ ପତିଆରା କ୍ଷୁଣ୍ଣ କରିବାକୁ ଭାଜପା ଉଦ୍ୟମ ଚଳାଇଥିଲା। ଶେଷରେ ଭାଜପାଠାରୁ ଦୂରେଇ ନୀତୀଶ କୁମାର ଆରଜେଡି ସହ ମିଶି ରାଜ୍ୟରେ ସରକାର ଗଢିଛନ୍ତି।

Share