Categories: ଜାତୀୟ

ଖାର୍ଗେଙ୍କୁ ହତ୍ୟା ପାଇଁ ଭାଜପା ପ୍ରାର୍ଥୀଙ୍କ ଯୋଜନା: କଂଗ୍ରେସ

ବେଙ୍ଗାଲୁରୁ, ୭।୫: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ତାଙ୍କ ସ୍ତ୍ରୀ ଓ ପୂରା ପରିବାରକୁ ହତ୍ୟା କରିବା ପାଇଁ ଜଣେ ଭାଜପା ପ୍ରାର୍ଥୀ ଯୋଜନା କରୁଥିବା ଅଭିଯୋଗ ହୋଇଛି। କର୍ନାଟକରେ କଂଗ୍ରେସ ପ୍ରଭାରୀ ଥିବା ଦଳର ସାଧାରଣ ସମ୍ପାଦକ ରଣଦୀପ୍‌ ସୁର୍ଜଓ୍ବୋଲା ଏହି ଅଭିଯୋଗ ଆଣିଥିବାବେଳେ ଶାସକ ଭାଜପା ଏହାକୁ ଖଣ୍ଡନ କରିଛି। କଂଗ୍ରେସ ନେତା ଖବରଦାତା ସମ୍ମିଳନୀରେ ହତ୍ୟା ଷଡ଼ଯନ୍ତ୍ରର ଏକ ଅଡିଓ ଉପସ୍ଥାପନ କରିଛନ୍ତି। ସେଥିରେ କାଲାବୁରାଗି ଜିଲା ଚିତ୍ତପୁର ଆସନର ଭାଜପା ପ୍ରାର୍ଥୀ ମଣିକାନ୍ତ ରାଠୋଡ୍‌ କଂଗ୍ରେସ ଅଧ୍ୟକ୍ଷ ଖାର୍ଗେ ଓ ତାଙ୍କ ପରିବାରକୁ ନିଶ୍ଚିହ୍ନ କରିଦେବେ ବୋଲି କହୁଥିବା ଶୁଣାଯାଇଛି।
ମେ’ ୧୦ରେ କର୍ନାଟକ ବିଧାନସଭାର ୨୨୪ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଭାଜପା ଏବଂ କଂଗ୍ରେସ ମଧ୍ୟରେ ବାକ୍‌ଯୁଦ୍ଧ ଜାରି ରହିଛି। କଂଗ୍ରେସ ପ୍ରତି କନ୍ନଡିଗାମାନଙ୍କ ସମର୍ଥନ ବଢ଼ୁଥିବାବେଳେ ଶାସକ ଦଳ ନିର୍ବାଚନ ହାରିବାକୁ ଯାଉଥିବାରୁ ଖାର୍ଗେ ଓ ତାଙ୍କ ପରିବାରକୁ ହତ୍ୟା କରିବା ପାଇଁ ଭାଜପା ନେତା ଯୋଜନା ଚଳାଇଥିବା ସୁର୍ଜଓ୍ବୋଲା କହିଛନ୍ତି। ରାଠୋଡ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କର୍ନାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କର ସ୍ବତନ୍ତ୍ର ଅନୁଗତ ବୋଲି ସୁର୍ଜଓ୍ବୋଲା ଦାବି କରିଛନ୍ତି। ସେ କହିଛନ୍ତି, ମୁଁ ଜାଣେ ଏହି ଘଟଣାରେ ପ୍ରଧାନମନ୍ତ୍ରୀ, କର୍ନାଟକ ପୋଲିସ ଏବଂ ନିର୍ବାଚନ କମିଶନ ନୀରବ ରହିବେ। ତେବେ କର୍ନାଟକବାସୀ ଚୁପ୍‌ ରହିବେ ନାହିଁ। ସେମାନେ ଏହାର ଠିକଣା ଜବାବ ଦେବେ ବୋଲି ସୁର୍ଜଓ୍ବୋଲା କହିଛନ୍ତି। ଅନ୍ୟପକ୍ଷରେ ଅଭିଯୋଗର ତଦନ୍ତ କରାଯିବ ଏବଂ ଆଇନ ତା’ ବାଟରେ ଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ରାଠୋଡ୍‌ ଅଭିଯୋଗ କରିଛନ୍ତି, କଂଗ୍ରେସ ନକଲି ଅଡିଓ କ୍ଲିପ୍‌ ପ୍ରସ୍ତୁତ କରି ତାଙ୍କୁ ବଦନାମ କରିବାକୁ ଉଦ୍ୟମ ଚଳାଇଛି। ଖାର୍ଗେ କିମ୍ବା ତାଙ୍କ ପରିବାରକୁ କୌଣସି କ୍ଷତି କରିବା ତାଙ୍କର ଉଦ୍ଦେଶ୍ୟ ନୁହେଁ। ରାଠୋଡ୍‌ ନିର୍ବାଚନରେ ନିଶ୍ଚିତ ଜିତିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

Share