ନନ୍ଦିଗ୍ରାମ ଉପନିର୍ବାଚନ ପାଇଁ BJPର ମାଷ୍ଟରଷ୍ଟ୍ରୋକ, ଜାଣନ୍ତୁ କାହାକୁ କଲା ପ୍ରାର୍ଥୀ: ଟିଏମ୍‌ସି ପ୍ରାର୍ଥୀଙ୍କ ସହ ହେବ ଜୋରଦାର୍‌ ଲଢେଇ

କୋଲକାତା,୧୫।୯: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ବିଧାନସଭା ଆସନର ଉପନିର୍ବାଚନକୁ ନେଇ ଭାଜପା ବଡ଼ ଦାଉ ଖେଳିଛି। ଦଳ ଏହି ଆସନ ପାଇଁ ହାସିରାଣୀ ରଥଙ୍କୁ ପ୍ରାର୍ଥୀ କରିଛି। ହାସିରାଣୀ ରଥ ହେଉଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ପୂର୍ବତନ ପିଏ ଚନ୍ଦ୍ରନାଥ ରଥଙ୍କ ମା’।

ଚନ୍ଦ୍ରନାଥ ରଥଙ୍କୁ ଚଳିତ ବର୍ଷ ମେ’ ମାସରେ ହତ୍ୟା କରାଯାଇଥିଲା। ଏବେ ତାଙ୍କ ମା’ ହାସିରାଣୀ ରଥଙ୍କୁ ନନ୍ଦିଗ୍ରାମରୁ ପ୍ରାର୍ଥୀ କରି ଭାଜପା ରାଜନୈତିକ ଭାବେ ବଡ଼ ବାର୍ତ୍ତା ଦେବାକୁ ଚେଷ୍ଟା କରିଛି। ହାସିରାଣୀ ରଥ ଆଜି ଶୁଭେନ୍ଦୁ ଅଧିକାରୀଙ୍କ ଉପସ୍ଥିତିରେ ନାମାଙ୍କନ ଦାଖଲ କରିବେ।

ଭାଜପା ରେଜିନଗର ବିଧାନସଭା ଆସନ ପାଇଁ ଶାଖାରବ ସରକାରଙ୍କୁ ପ୍ରାର୍ଥୀ କରିଛି। ନିର୍ବାଚନ ଆୟୋଗ ସେପ୍ଟେମ୍ବର ୯ ତାରିଖରେ ଏହି ଦୁଇଟି ଆସନରେ ଉପନିର୍ବାଚନ ଘୋଷଣା କରିଥିଲା। ଏହା ପରେ ଭାଜପାର ପ୍ରାର୍ଥୀ ତାଲିକାକୁ ନେଇ ଅପେକ୍ଷା ରହିଥିଲା। ନନ୍ଦିଗ୍ରାମ ଓ ରେଜିନଗର ଉଭୟ ଆସନରେ ଅକ୍ଟୋବର ୬ ତାରିଖରେ ଭୋଟ ଗ୍ରହଣ ହେବ। ଅକ୍ଟୋବର ୯ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

ନନ୍ଦିଗ୍ରାମକୁ ଶୁଭେନ୍ଦୁ ଅଧିକାରୀଙ୍କ ଗଡ଼ ବୋଲି କୁହାଯାଏ। ଗତ ନିର୍ବାଚନରେ ସେ ନନ୍ଦିଗ୍ରାମ ସହ ଭବାନୀପୁର ଆସନରୁ ମଧ୍ୟ ବିଜୟୀ ହୋଇଥିଲେ। ଭବାନୀପୁରରେ ସେ ତୃଣମୂଳ କଂଗ୍ରେସର ପ୍ରମୁଖ ନେତ୍ରୀ ମମତା ବାନାର୍ଜୀଙ୍କୁ ପରାସ୍ତ କରିଥିଲେ।
ମୁଖ୍ୟମନ୍ତ୍ରୀ ହେବା ପରେ ଶୁଭେନ୍ଦୁ ଅଧିକାରୀ ନନ୍ଦିଗ୍ରାମ ଆସନ ଛାଡ଼ିଥିଲେ। ଏବେ ସେହି ଆସନରେ ଉପନିର୍ବାଚନ ହେଉଛି। ତେଣୁ ନନ୍ଦିଗ୍ରାମର ଏହି ଉପନିର୍ବାଚନକୁ ନେଇ ପଶ୍ଚିମବଙ୍ଗ ରାଜନୀତିରେ ଉତ୍ସାହ ବଢ଼ିଛି।

 

Dharitri – Odisha’s No.1 Odia Daily

Share