‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ ନୁହେଁ, ଓଡ଼ିଆ ଅସ୍ମିତା, ସ୍ବାଭିମାନ ଓ ସ୍ବାଧୀନତାରେ ପ୍ରଗାଢ଼ ବିଶ୍ୱାସ ରଖନ୍ତି ବୋଲି ଶୁକ୍ରବାର ଅନୁଗୋଳ ଓ ଛେଣ୍ଡିପଦାରେ ନିର୍ବାଚନ ପ୍ରଚାର କରିବା ଅବସରରେ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସଂସଦୀୟ କ୍ଷେତ୍ରର ଭାଜପା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ।
ଅନୁଗୋଳ ଓ ଛେଣ୍ଡିପଦା ନିର୍ବାଚନମଣ୍ଡଳୀରେ ଶୋଭାଯାତ୍ରା କରିବା ସହ ଦଳ ପକ୍ଷରୁ ଆୟୋଜିତ କର୍ମୀ ସମ୍ମିଳନୀ ଏବଂ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଯୋଗ ଦେଇଥିଲେ। ତାଙ୍କ ଉପସ୍ଥିତିରେ ବିଜେଡି ନେତା ଅଶୋକ ପ୍ରଧାନଙ୍କ ସହିତ ୨ ହଜାରରୁ ଊର୍ଦ୍ଧ୍ୱ ବିଜେଡି କର୍ମୀ, ସମର୍ଥକ ଭାଜପାରେ ସାମିଲ ହୋଇଥିଲେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଥିଲେ, ଗତ ୨୫ ବର୍ଷର ଶାସନରେ ଓଡ଼ିଶାର ବିକାଶ ଅପରିବର୍ତ୍ତିତ ରହିଛି। ଏଥର ନିର୍ବାଚନ ଓଡ଼ିଶାକୁ ଲୁଟ କରିବା ପାଇଁ ଷଡ଼ଯନ୍ତ୍ର କରୁଥିବା ବ୍ୟକ୍ତିଙ୍କ ବିରୋଧରେ ହେବ। କ୍ରୀତଦାସ ବନାମ ସ୍ବାଭିମାନ ଏବଂ ଓଡ଼ିଆ ଅସ୍ମିତା ପାଇଁ ନିର୍ବାଚନ ହେବ। ବିଜେଡି ସରକାରରେ ରାଜନୈତିକ ଲୋକମାନେ ଅଣଦେଖା ହୋଇଛନ୍ତି। ଗାଁ ଗଣ୍ଡାରେ ପିଇବା ପାଣି ନାହିଁ। ଜଳସେଚନ ବ୍ୟବସ୍ଥା ନାହିଁ। ସ୍କୁଲରେ ଶିକ୍ଷକ ନାହାନ୍ତି। ସ୍ବାସ୍ଥ୍ୟ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। କାମ ପାଇଁ ଲୋକମାନେ ବାହାରକୁ ଯାଉଛନ୍ତି। ନିଶା କାରବାର, ମହିଳାଙ୍କ ଉପରେ ଅତ୍ୟାଚାର ବଢିଛି। ଏହା କ’ଣ ବିକାଶ କି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଶ୍ନ କରିଥିଲେ। ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଅତୁଟ ସମର୍ଥନ ବଢିବାରେ ଲାଗିଛି। ଓଡ଼ିଆ ଅସ୍ମିତା ଓ ସ୍ବାଭିମାନର ସୁରକ୍ଷା ପାଇଁ ଏଥର ଓଡ଼ିଶାରେ ଭାଜପା ସରକାର କରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ। ପ୍ରଚାର ସମୟରେ କେନ୍ଦ୍ରମନ୍ତ୍ରୀ ବିଭିନ୍ନ ମନ୍ଦିରକୁ ଯାଇ ଦେବଦେବୀ ଦର୍ଶନ କରିଥିଲେ। ଏହାପରେ ତୁରଙ୍ଗ ପଡିଆରେ ତାଙ୍କ ସହ ଭାଜପାର ଛେଣ୍ଡିପଦା ବିଧାୟକ ପ୍ରାର୍ଥୀ ଅଗସ୍ତି ବେହେରାଙ୍କୁ ଭୋଟ ଦେବାକୁ ନିବେଦନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଗୋଳ ନିର୍ବାଚନମଣ୍ଡଳୀର ଭାଜପା ପ୍ରାର୍ଥୀ ଅଗସ୍ତି ବେହେରାଙ୍କ ସମେତ ଭାଜପା ନେତା ଭକ୍ତି ପ୍ରସାଦ ଦାସ, ମୀରା ଗଡ଼ନାୟକ, ଦିଲୀପ ପ୍ରଧାନ, ଚୌଧୁରୀ ପ୍ରଧାନ, କମଳାକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।