ଝାରସୁଗୁଡ଼ାରେ ଭାଜପା-ବିଜେଡି ମୁହାଁମୁହିଁ: ଉଭୟ ଗୋଷ୍ଠୀର ୫୦ରୁ ଊର୍ଦ୍ଧ୍ୱ ନେତୃବୃନ୍ଦ ଗିରଫ

ଝାରସୁଗୁଡା ଅଫିସ,୨୪।୪: ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ରୋଷେୟା ଲଳିତ କୁମାର ସାହୁ(୨୨)ଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ରବିବାର ଭାଜପା-ବିଜେଡି ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି । ପୋଲିସ ଉଭୟ ଗୋଷ୍ଠୀର ୫୦ରୁ ଊଦ୍ଧର୍‌ବ ନେତୃବୃନ୍ଦଙ୍କୁ ଗିରଫ କରିଛି । ଏହାପରେ ପରିସ୍ଥିତି ନିୟନ୍ତ୍ରଣାଧିନ ରହିଥିବାବେଳେ ଘଟଣା ଉପରେ ପୋଲିସ ତୀକ୍ଷ୍ଣ ନଜର ରଖିଛି।

ରୋଷେୟା ମୃତ୍ୟୁକୁନେଇ ଜିଲା ଭାଜପା ତରଫରୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିକରି ଏସ୍‌ପି କାର୍ଯ୍ୟାଳୟ ଘେରାଉ କରିବା ସହିତ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଏଥି ମଧ୍ୟରେ ମୃତ୍ୟୁକୁ ଏକ ସପ୍ତାହ ବିତିଯାଇଥିଲେ ମଧ୍ୟ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବିରୋଧରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଏହାର ପ୍ରତିବାଦରେ ଜିଲା ଭାଜପା ତରଫରୁ ରବିବାର ଝାରସୁଗୁଡା ଟାଉନ ଥାନା ସମ୍ମୁଖରେ ଧାରଣା ଦେବାପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏସମ୍ପର୍କରେ ଖବରପାଇ ଝାରସୁଗୁଡା ସଚେତନ ନାଗରିକ ମଞ୍ଚ ବିରୋଧିଙ୍କ ଗିରଫ ଦାବିରେ ସାମନ୍ତରାଳ ଭାବେ ଥାନା ସମ୍ମୁଖରେ ଧାରଣା ଦେବାପାଇଁ ନିଷ୍ପତ୍ତି ନେଇଥିଲା। ପୋଲିସ ଏହା ଜାଣିପାରି ଥାନା ଅଞ୍ଚଳରେ ୧୪୪ଧାରା ଜାରି କରି ଡାକବାଜି ଯନ୍ତ୍ରରେ ନିଷିଦ୍ଧାଞ୍ଚଳ ଘୋଷଣା କରିଥିଲା। ତଥାପି ଏହାକୁ ଆନ୍ଦୋଳନକାରୀମାନେ ନମାନି ନିଷିଦ୍ଧାଞ୍ଚଳରେ ଧସେଇ ପଶି ବିଭିନ୍ନ ବିରୋଧି ସ୍ଲୋଗାନ ଦେବା ଫଳରେ ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇ ପରିସ୍ଥିତି ଅଣଆୟତ୍ତ ହୋଇଥିଲା। ପୋଲିସ ସେଠାରେ ପହଞ୍ଚିି ଉଭୟ ଗୋଷ୍ଠୀଙ୍କୁ ବୁଝାସୁଝା କରିଥିଲା। ହେଲେ କିଛି ଫଳ ମିଳି ନ ଥିଲା। ଶେଷରେ ପୋଲିସ ଉଭୟ ଗୋଷ୍ଠୀର ୫୦ ଊଦ୍ଧର୍‌ବ ନେତୃବୃନ୍ଦଙ୍କୁ ଗିରଫ କରିଥିଲା। ଫଳରେ ପରିସ୍ଥିତି ଶାନ୍ତ ପଡ଼ିଛି ।