ପକ୍କାଘର ଆବଣ୍ଟନକୁ ନେଇ ବିଜେଡି-ଭାଜପା ମୁହାଁମୁହିଁ

ଭୁବନେଶ୍ୱର,୧୫।୧(ବ୍ୟୁରୋ): ରାଜ୍ୟରେ ବାଦ୍‌ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇବା ପାଇଁ ପ୍ରାୟ ତିନି ବର୍ଷ କାଳ ରାଜ୍ୟ ସରକାର କେନ୍ଦ୍ର ନିକଟରେ ବାରମ୍ବାର ଦାବିକରି ଆସୁଥିଲେ। ଶେଷରେ କେନ୍ଦ୍ର ସରକାର ରାଜ୍ୟର ଦାବିକୁ ମାନି ନେଇଛନ୍ତି। ରାଜ୍ୟର ପ୍ରାୟ ସାଢ଼େ ୯ ଲକ୍ଷରୁ ଅଧିକ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର ପାଇବେ। ଏହି ଯୋଜନାରେ ପ୍ରାୟ ୮ ଲକ୍ଷ ହିତାଧିକାରୀ ଏବଂ ଫନି ପାଇଁ ସ୍ବତନ୍ତ୍ର ଭାବେ ୧ ଲକ୍ଷ ୧୭ ହଜାର ହିତାଧିକାରୀଙ୍କୁ ଘର ଦେବାକୁ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଥିବା ସୂଚନା ମିଳିଛି। ତେବେ କେଉଁ ଆଧାରରେ ହିତାଧିକାରୀ ଚୟନ ହେବେ ସେ ନେଇ ବିଜେଡି- ଭାଜପା ମୁହଁାମୁହିଁ ହୋଇଛନ୍ତି।
ଆସନ୍ତା ୧୬ରୁ ୨୪ ତାରିଖ ଭିତରେ ପ୍ରତି ଗ୍ରାମପଞ୍ଚାୟତ, ସ୍କୁଲ୍‌, ଅଙ୍ଗନୱାଡି ସେଣ୍ଟର ଓ ପ୍ରମୁଖ ସ୍ଥାନଗୁଡ଼ିକରେ ଚିଠା ତାଲିକା ଲଗାଯିବ। କାହାର କିଛି ଆପତ୍ତି ଥିଲେ ସେମାନେ ଏ ସମ୍ପର୍କରେ ଅଭିଯୋଗ ବାକ୍ସରେ ପକାଇ ପାରିବେ। ପ୍ରତି ପଞ୍ଚାୟତ ପାଇଁ ୩ ଜଣିଆ କମିଟି ଏସବୁ କାର୍ଯ୍ୟକୁ ତଦାରଖ କରିବ। ତେବେ ଆପତ୍ତି ଅଭିଯୋଗ ଉପରେ ସ୍ବତନ୍ତ୍ର ଭାବେ ଗ୍ରାମସଭା ବସି ହିତାଧିକାରୀଙ୍କ ତାଲିକା ଚୂଡ଼ାନ୍ତ ହେବା ପରେ କାର୍ଯ୍ୟାଦେଶ ଦିଆଯିବ। ଅନ୍ୟପଟେ ଭାଜପା ଚେତାବନୀ ଦେଇଛି ଯେ ଯଦି ଏଥର ଜଣେ ଅଯୋଗ୍ୟ ହିତାଧିକାରୀଙ୍କୁ ଘର ମିଳେ ତେବେ ବ୍ଲକ୍‌ ଅଫିସକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଲା ପକାଇ ଦିଆଯିବ।
ଭାଜପା ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ନଭେମ୍ବର ୨୦ ତାରିଖରୁ ପକ୍କାଘର ଦେବା ପାଇଁ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ମରାଯିବା କଥା । ରାଜ୍ୟ ସରକାର ଏହି ପ୍ରକ୍ରିୟାକୁ ବିଳମ୍ବ କରିଛନ୍ତି। ସୋମବାରଠାରୁ ଏହି ତାଲିକା ମାରିବାକୁ ଏବେ ପଦକ୍ଷେପ ନେଇଛନ୍ତି। ଏହି ତାଲିକାରେ ଯଦି କୌଣସି ଅଯୋଗ୍ୟ ହିତାଧିକାରୀ ପକ୍କାଘର ପାଉଛନ୍ତି ଓ ଯୋଗ୍ୟ ହିତାଧିକାରୀ ବାଦ୍‌ ପଡ଼ୁଛନ୍ତି ତେବେ ଭାଜପା ଆନ୍ଦୋଳନକୁ ଓହ୍ଲାଇବ। ସବୁ ବ୍ଲକ୍‌ ଅଫିସକୁ ତାଲା ପକାଇ ଦିଆଯିବ ବୋଲି ସେ କହିଛନ୍ତି।
ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି, ପକ୍କାଘର କାର୍ଯ୍ୟାଦେଶ ବଣ୍ଟନରେ ସରକାର ସ୍ବଚ୍ଛତା ରକ୍ଷା କରିବା ନିମନ୍ତେ ଗାଇଡ୍‌ଲାଇନ୍‌ କରିଛନ୍ତି। ମାତ୍ର ଦୁର୍ଭାଗ୍ୟର କଥା କେନ୍ଦ୍ର ସରକାର ପକ୍କାଘର କାର୍ଯ୍ୟାଦେଶ ଦେବା ନିମନ୍ତେ ବିଭାଗୀୟ ୱେବ୍‌ସାଇଟ ଖୋଲୁନାହାନ୍ତି। କିନ୍ତୁ ଆମେ ଦେଇଦେଲୁ କହୁଛନ୍ତି। ଯେମିତି ଚାଉଳକୁ ନେଇ ରାଜନୀତି କରାଯାଉଛି, ଠିକ୍‌ ସେମିତି ପକ୍କାଘର ପ୍ରଦାନକୁ ନେଇ କେନ୍ଦ୍ର ସରକାର ଅଯଥା ରାଜନୀତି କରୁଛନ୍ତି ବୋଲି ସେ କହିଛନ୍ତି।